ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତକୁ ଶୁଳ୍କ ଉପରେ ଲଗାତାର ଧମକ ଦେଉଛନ୍ତି । ଟ୍ରମ୍ପ ଭାରତକୁ ନିଜ ଅକ୍ତିଆରରେ ରଖିବାକୁ ଚେଷ୍ଟା କରୁଥିବା ବେଳେ ମୋଦି ସରକାର ଆମେରିକା ଆଗରେ ହାର ମାନି ନାହାନ୍ତି । ସରକାର କହିଛନ୍ତି ଯେ ଜାତୀୟ ସ୍ବାର୍ଥ ତାଙ୍କ ପାଇଁ ସର୍ବପ୍ରଥମେ । ସେ ଯାହା ନିଷତ୍ତି ନେବେ , ଦେଶର ସ୍ବାର୍ଥକୁ ଦୃଷ୍ଟିରେ ରଖି ନେବେ । ଟ୍ରମ୍ପଙ୍କୁ ବିବୃତ୍ତି ମାଧ୍ୟମରେ ଏକ ବାର୍ତ୍ତା ଦିଆଯାଇଛି, ଏବଂ ସେହି ସମୟରେ ତାଙ୍କୁ ସିଧାସଳଖ ବାର୍ତ୍ତା ପଠାଇବା ପାଇଁ ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ କିଛି କରାଯାଉଛି ।
ଭାରତ ସେହି କାମ କରୁଛି ଯାହା ଆମେରିକା ଆଦୌ ଚାହୁଁନାହିଁ । ଏହା କହିବା ଭୁଲ ହେବ ନାହିଁ ଯେ ଭାରତ ଟ୍ରମ୍ପଙ୍କୁ ଚିଡ଼ୁଛି । ପ୍ରକୃତରେ , ଭାରତ ରୁଷ ସହିତ ତାର ବନ୍ଧୁତାକୁ ମଜବୁତ କରୁଛି ଏବଂ ସେହି ସମୟରେ ଚୀନ୍ ସହିତ ସମ୍ପର୍କ ଉନ୍ନତ କରୁଛି । ଏହା ଟ୍ରମ୍ପ ଚାହାଁନ୍ତି ନାହିଁ । ଟ୍ରମ୍ର ଭାରତକୁ ଋୁଷଠାରୁ ଦୂରେଇ ରଖିବାକୁ ଚାହୁଁଛନ୍ତି । ସେ ଏହା ଯେତେ ଅଧିକ କରୁଛନ୍ତି, ଭାରତ ମସ୍କୋ ସହିତ ସେତେ ନିକଟତର ହେଉଛି । ଏହି ସମ୍ପର୍କରେ , ଜାତୀୟ ସୁରକ୍ଷା ପରାମର୍ଶଦାତା ( NSA ) ଅଜିତ ଡୋଭାଲଙ୍କ ପରେ , ବର୍ତ୍ତମାନ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ରୁଷ ଗସ୍ତରେ ଯାଉଛନ୍ତି । ତାଙ୍କର ଗସ୍ତ ଆସନ୍ତା ସପ୍ତାହରେ ହେବ । ରୁଷ ସରକାରଙ୍କ ଅନୁଯାୟୀ , ଜୟଶଙ୍କର ଅଗଷ୍ଟ ୨୧ ତାରିଖରେ ରୁଷର ବୈଦେଶିକ ମନ୍ତ୍ରୀଙ୍କୁ ଭେଟିବେ । ଉଭୟ ଦେଶର ମନ୍ତ୍ରୀଙ୍କ ଏହି ବୈଠକର କିଛି ଦିନ ପରେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତରେ ଆସିବେ । ପୁଟିନ ସେପ୍ଟେମ୍ବରରେ ନୂଆଦିଲ୍ଲୀ ଗସ୍ତ କରିବେ । ଡୋଭାଲଙ୍କ ଗସ୍ତ ସମୟରେ ପୁଟିନଙ୍କ ଭାରତ ଗସ୍ତ ପ୍ରସଙ୍ଗ ଉଠିଥିଲା । ନେତାମାନଙ୍କ ଗସ୍ତ ବ୍ୟତୀତ , ଭାରତ ରୁଷରୁ ତେଲ କିଣିବା ଜାରି ରଖିଛି । ଟ୍ରମ୍ପ ଏହାକୁ ପସନ୍ଦ କରନ୍ତି ନାହିଁ ଏବଂ ସେଥିପାଇଁ ସେ ଭାରତ ଉପରେ ଶୁଳ୍କ ବୃଦ୍ଧି କରୁଛନ୍ତି । ରୁଷ ମଧ୍ୟ ଭାରତ ସହିତ କାନ୍ଧକୁ କାନ୍ଧ ମିଶାଇ ଛିଡା ହୋଇଛି । ତୈଳ ବିବାଦ ଉପରେ , ରୁଷ କହିଛି ଯେ ଜାତୀୟ ସ୍ୱାର୍ଥରେ ନିଷ୍ପତ୍ତି ନେବାର ଅଧିକାର ଭାରତର ଅଛି ।
ରୁଷ ସହିତ ବନ୍ଧୁତାକୁ ମଜବୁତ କରି , ଭାରତ କେବଳ ଟ୍ରମ୍ପଙ୍କୁ ଏକ ବାର୍ତ୍ତା ପଠାଉନାହିଁ ବରଂ ଚୀନ୍ ସହିତ ସମ୍ପର୍କକୁ ମଧ୍ୟ ଉନ୍ନତ କରୁଛି ।କେବଳ ଭାରତ ହାତ ବଢ଼ାଉଛି ତାହା ନୁହେଁ , ଚୀନ୍ ମଧ୍ୟ ଖୋଲାଖୋଲି ଭାବରେ ତାଙ୍କ ସହିତ ଛିଡ଼ା ହେଉଛି । ଏହାର ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି ୧୮ ଅଗଷ୍ଟରେ ନୂଆଦିଲ୍ଲୀ ଆସିପାରନ୍ତି , ଯେଉଁଠାରେ ସେ ଅଜିତ ଡୋଭାଲଙ୍କୁ ଭେଟିପାରନ୍ତି । ଅପରେସନ୍ ସିନ୍ଦୁର ପରେ ଏହା କୌଣସି ଚୀନ୍ ନେତାଙ୍କ ପ୍ରଥମ ଭାରତ ଗସ୍ତ ହେବ । ୱାଙ୍ଗ ୟିଙ୍କ ଏହି ଗସ୍ତ ଅଗଷ୍ଟ ଶେଷରେ ଅନୁଷ୍ଠିତ ହେବାକୁ ଥିବା ଝଉଙ ସମ୍ମିଳନୀ ପୂର୍ବରୁ ହେଉଛି ।
ଅନ୍ୟପଟେ, ଟ୍ରମ୍ପ ଚାହାଁନ୍ତି ଯେ ଭାରତ ତାଙ୍କର ସମସ୍ତ ଦାବି ପୂରଣ କରୁ। ରୁଷରୁ ତେଲ କିଣିବା ବନ୍ଦ କର। ଆମେରିକା ପାଇଁ ଦୁଗ୍ଧ ଏବଂ କୃଷି କ୍ଷେତ୍ର ଖୋଲି ଦିଅ। କିନ୍ତୁ ଭାରତ ଜିଦ୍ ଧରି ରହିଛି। ଏହି କାରଣରୁ ଟ୍ରମ୍ପ ଶୁଳ୍କ ବୃଦ୍ଧି କରୁଛନ୍ତି। ପ୍ରଥମେ ଏହା ୨୫ ପ୍ରତିଶତ ଥିଲା। ପରେ ଏହାକୁ ୫୦ ପ୍ରତିଶତକୁ ବୃଦ୍ଧି କରାଯାଇଥିଲା।