ବର୍ମିଂହାମ ଟେଷ୍ଟ: ଭାରତର ପ୍ରଥମ ଟେଷ୍ଟ ବିଜୟ

ନୂଆଦିଲ୍ଲୀ: ଜାରି ରହିଛି ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଟେଷ୍ଟ ସିରିଜ୍‌ । ପ୍ରଥମ ମ୍ୟାଚ୍‌ରେ ଭାରତ ପରାସ୍ତ ହୋଇଥିଲା । ମାତ୍ର ୨ୟ ଟେଷ୍ଟରେ ଇତିହାସ ରଚିଛି ଟିମ୍ ଇଣ୍ଡିଆ । ଅଧିନାୟକ ଶୁବମନ ଗିଲ୍‌ଙ୍କ ଚମତ୍କାର ବ୍ୟାଟିଂ ଏବଂ ଆକାଶ ଦୀପ୍‌ ଏବଂ ସିରାଜଙ୍କ ପ୍ରଭାବୀ ପ୍ରଦର୍ଶନ ସହାୟତାରେ ଭାରତ ଦ୍ୱିତୀୟ ଟେଷ୍ଟରେ ଇଂଲଣ୍ଡକୁ ୩୩୬ ରନ୍‌ରେ ପରାସ୍ତ କରିଛି। ଏହା ସହିତ ଟିମ୍‌ ଇଣ୍ଡିଆ ସିରିଜକୁ ୧-୧ରେ ବରାବର କରିଛି।

୬୦୮ ରନ ଲକ୍ଷ୍ୟ ଜବାବରେ ଇଂଲଣ୍ଡ ୨୭୧ ରନ କରି ଅଲଆଉଟ ହୋଇଯାଇଥିଲା । ଇଂଲଣ୍ଡ ପକ୍ଷରୁ ପ୍ରଥମ ଇନିଂସରେ ଶତକ ଅର୍ଜନ କରିଥିବା ଜେମି ସ୍ମିଥ ସର୍ବାଧକ ୮୮ ରନ କରିଥିଲେ । ସେହିପରି ବ୍ରାଇଡନ କାର୍ସେ ୩୮ ରନ, ବେନ ଷ୍ଟୋକ୍ସ ୩୩ ରନ କରିଥିଲେ । ସେହିପରି ବେନ ଡକେଟ୍ ୨୫ ରନ ଓ ଓଲିପୋପ ୨୪ ରନ କରିଥିଲେ । ମାତ୍ର ଆକାଶଙ୍କ ଚମତ୍କାର ବୋଲିଂ ଯୋଗୁଁ ଭାରତୀୟ ଦଳ ଶେଷ ଇନିଂସରେ ଇଂଲଣ୍ଡକୁ ମାତ୍ର ୨୭୧ ରନ୍ ରେ ଅଲଆଉଟ୍ କରିଥିଲା। ଆକାଶ ଦୀପ ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଇନିଂସରେ ଚମତ୍କାର ବୋଲିଂ କରିବା ସହ ୬ ୱିକେଟ୍ ନେଇଛନ୍ତି । ଆକାଶ ଦୀପଙ୍କ ବ୍ୟତୀତ ଭାରତୀୟ ଦଳ ପକ୍ଷରୁ ଦ୍ୱିତୀୟ ଇନିଂସରେ ମହମ୍ମଦ ସିରାଜ, ପ୍ରସିଦ୍ଧ କୃଷ୍ଣା, ରବିନ୍ଦ୍ର ଜାଡେଜା ଏବଂ ୱାଶିଂଟନ୍ ସୁନ୍ଦର ଗୋଟିଏ ଲେଖାଏଁ ୱିକେଟ୍ ନେଇଛନ୍ତି। ଭାରତୀୟ ଦଳ ଏହି ମ୍ୟାଚ୍ କୁ ୩୩୬ ରନ୍ ରେ ଜିତି ଇତିହାସ ସୃଷ୍ଟି କରିଛି।

ଭାରତ ଏପର୍ଯ୍ୟନ୍ତ ବର୍ମିଂହାମ ଗ୍ରାଉଣ୍ଡରେ ଗୋଟିଏ ବି ମ୍ୟାଚ୍ ଜିତି ନଥିଲା। ଏହା ପୂର୍ବରୁ ଏଠାରେ ଖେଳାଯାଇଥିବା ୮ଟି ମ୍ୟାଚ୍ ମଧ୍ୟରୁ, ଭାରତ ୭ଟି ପରାସ୍ତ ହୋଇଥିବା ବେଳେ ଗୋଟିଏ ମ୍ୟାଚ୍ ଡ୍ର ରହିଥିଲା। ଆଜିର ମ୍ୟାଚ୍ ଏହି ଗ୍ରାଉଣ୍ଡରେ ଦୁଇ ଦଳ ମଧ୍ୟରେ ୯ମ ମ୍ୟାଚ୍ ଖେଳାଯାଇଥିବା ବେଳେ ଏହାକୁ ଜିତି, ବିଗତ ୫୮ ବର୍ଷର ରେକର୍ଡ ଭାଙ୍ଗିଛି । ରନ ଦୃଷ୍ଟିରୁ ବିଦେଶ ମାଟିରେ ଭାରତର ଏହା ସବବୃହତ୍‌ ବିଜୟ। ପୂର୍ବରୁ ୨୦୧୯ରେ ଆଣ୍ଟିଗୁଆଠାରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଭାରତ ୩୧୮ ରନରେ ବିଜୟୀ ହୋଇଥିଲା।