ଫ୍ରାନ୍ସ ପାଖରୁ ୧୧୪ ରାଫେଲ କିଣିବ ଭାରତ । ଚଳିତ ମାସର ଶେଷ ଆଡକୁ ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ ମାକ୍ରନଙ୍କ ଭାରତ ଗସ୍ତ ପୂର୍ବରୁ, ଏହି ପ୍ରସ୍ତାବକୁ ଚୂଡ଼ାନ୍ତ କରିବ ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ଡିଏସି ବୈଠକ ବସିବ । ରାଫେଲ ପ୍ରସ୍ତାବକୁ ମଞ୍ଜୁର କରିସାରିଛି ପ୍ରତିରକ୍ଷା ସଚିବଙ୍କ ଅଧ୍ୟକ୍ଷତାରେ ଥିବା ଡିଫେନ୍ସ ପ୍ରକ୍ୟୁରମେଣ୍ଟ ବୋର୍ଡ । ଯଦି ରାଫେଲ କ୍ରୟ ପ୍ରସ୍ତାବକୁ ମଞ୍ଜୁରୀ ମିଳେ ତେବେ ପ୍ରାୟ ୩ ଲକ୍ଷ ୨୫ ହଜାର କୋଟି ଟଙ୍କାର ରାଫେଲ କ୍ରୟ କରାଯିବ । ଭାରତୀୟ ବାୟୁସେନାରେ ଶକ୍ତିଶାଳୀ ଲଢୁଆ ବିମାନର ଅଭାବକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି । ବର୍ତ୍ତମାନ ଭାରତୀୟ ବାୟୁସେନା ଲାଗି ୪୨ଟି ଲଢୁଆ ବିମାନ ଆବଶ୍ୟକ ଥିବାବେଳେ ରହିଛି ୨୯ଟି । ପ୍ରସ୍ତାବିତ ୧୧୪ଟି ରାଫେଲ ମଧ୍ୟରୁ ନିର୍ମିତ ହୋଇସାରିଥିବା ୧୮ଟି ବିମାନକୁ ଉଡ଼ାଣ ଜରିଆରେ ଅଣାଯିବ । ଅବଶିଷ୍ଟ ବିମାନଗୁଡିକ ଭାରତରେ ତିଆରି ହେବ ।