ରାଜକୋଟରେ ଦକ୍ଷିଣ ଅଫ୍ରିକାକୁ ହରାଇଲା ଭାରତ ‘ଏ’ ଦଳ

ଇଡେନ୍ ଗାର୍ଡନ୍ସରେ ହାରିଗଲା ଟିମ୍ ଇଣ୍ଡିଆ । ପ୍ରଥମ କ୍ରିକେଟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ଘରୋଇ ଦଳକୁ ୩୦ ରନରେ ପରାସ୍ତ କରିଛି । କୋଲକାତା ଇଡେନ ଗାର୍ଡନସରେ ଭାରତ ସିନିୟର ଦଳକୁ ଦକ୍ଷିଣ ଆଫ୍ରିକା ଠାରୁ ହାରିଥିବା ବେଳେ ରାଜକୋଟରେ ଭାରତ ‘ଏ’ ଦଳ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି । ଆଜି ଖେଳା ଯାଇଥିବା ଦ୍ବିତୀୟ ଦିନିକିଆରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକାକୁ ୯ ୱିକେଟରେ ହରାଇଛି । ପ୍ରଥମେ ବ୍ୟାଟିଂ କରି ୩୦.୩ ଓଭରରେ ସମସ୍ତ ୱିକେଟ୍ ହରାଇ ୧୩୨ ରନ୍ କରିଥିଲା । ଭାରତ ପକ୍ଷରୁ ନିଶାନ୍ତ ସିନ୍ଧୁ ୪, ହର୍ଷିତ ରାଣା ୩ ଏବଂ ପ୍ରସିଦ୍ଧ କ୍ରିଷ୍ଣା ୨ଟି ୱିକେଟ୍ ନେଇଥିଲେ । ପରେ ଭାରତ ପକ୍ଷରୁ ଓପ୍ନର ଋତୁରାଜ ଗାଏକ୍ବାର୍ଡ଼ ଅପରାଜିତ ୬୮ ରନ୍ ଏବଂ ଅଭିଷେକ ଶର୍ମା ୩୨ ଓ ତିଳକ ବର୍ମା ଅପରାଜିତ ୨୯ ରନ୍ କରିଛନ୍ତି ।

ଇଡେନ୍ ଗାର୍ଡନ୍ସରେ ଘରୋଇ ଦଳ ୧୨୪ ରନର ବିଜୟ ଲକ୍ଷ୍ୟ ନେଇ ଖେଳିଥିଲା । ଆଘାତ ଯୋଗୁଁ ଅଧିନାୟକ ଶୁବମନ ଗିଲ୍ ଖେଳି ପାରିନଥିଲେ । ତେବେ ଦକ୍ଷିଣ ଆଫ୍ରିକା ବୋଲରଙ୍କ ଆଗରେ ତିଷ୍ଠି ପାରିଲେନି ବାକି ବ୍ୟାଟରମାନେ । ସ୍ପେସାଲିଷ୍ଟ ବ୍ୟାଟସମ୍ୟାନ ସବୁ ଧୂଳି ଚାଟିଥିବା ବେଳେ ୱାଶିଂଟନ୍ ସୁନ୍ଦର ସର୍ବାଧିକ ୩୧, ଅକ୍ଷର ପଟେଲ ୨୬, ଧୁବ ଜୁରେଲ ୧୩ ଓ ରବୀଦ୍ର ଜାଡେଜା ୧୮ ରନ୍ କରିଥିଲେ । ଅନ୍ୟ କେହି ଦୁଇ ଅଙ୍କରେ ବି ପହଞ୍ଚି ପାରି ନଥିଲେ । ଦକ୍ଷିଣ ଆଫ୍ରିକା ପକ୍ଷରୁ ମାର୍କୋ ଜେନସେନ ଓ କେଶବ ମହାରାଜ ୨ଟି ଲେଖାଏଁ ଏବଂ ସାଇମନ୍ ହାର୍ମର ୨୧ ରନ୍ ଦେଇ ୪ଟି ୱିକେଟ୍ ଦଖଲ କରିଛନ୍ତି । ଏହି ବିଜୟ ଫଳରେ ଦକ୍ଷିଣ ଆଫ୍ରିକା ଟେଷ୍ଟ ସିରିଜରେ ୧-୦ରେ ଆଗୁଆ ରହିଛି । ଗତ ୧୫ ବର୍ଷ ଭିତରେ ଭାରତରେ ପ୍ରଥମ ଥର ଟେଷ୍ଟ ବିଜୟ ହାସଲ କରିଛି ଦକ୍ଷିଣ ଆଫ୍ରିକା ।