ତୃତୀୟ ଦିନରେ ନବ ଦାସଙ୍କ ଘରେ ଆଇଟି ରେଡ୍, ଗୁପ୍ତ ତଥ୍ୟ ଖୋଜୁଛି ବିଭାଗ

ସମ୍ବଲପୁର: ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ଘରେ ଆଜି ବି ଜାରି ରହିଛି ଆଇଟି ରେଡ୍‌ । ଆଜକୁ ୩ ଦିନ ହେବ ହେବ ଆୟକର ବିଭାଗ ପକ୍ଷରୁ ଏହି ଚଢ଼ାଉ ଜାରି ରହିଛି । ସମ୍ବଲପୁରର ମୁଦିପଡ଼ା ଘର ସମେତ ୪ଟି ସ୍ଥାନରେ ଚାଲିଛି ରେଡ୍‌  । କେବଳ ଘର ନୁହେଁ ଘର ସମେତ ବ୍ୟବସାୟିକ ପ୍ରତିଷ୍ଠାନରେ ବି ଚାଲିଛି ଚଢ଼ାଉ  ।

କହିରଖୁଛୁ ଯେ, କୋଇଲା ଟ୍ରାନ୍ସପୋର୍ଟରେ ଆୟକର ଠକେଇ ଅଭିଯୋଗରେ ଗତ ୩ ଦିନ ଧରି ର୍ପୂବତନ ମନ୍ତ୍ରୀ ଦିବଂଗତ ନବ ଦାସଙ୍କ ଘରେ ଏହି ଚଢ଼ାଉ ଚାଲିଛି। ନବଙ୍କ ପୁଅ ବିଶାଳ ଦାସଙ୍କ ବ୍ୟବସାୟିକ ସାମ୍ରାଜ୍ୟ ବାବଦରେ ଟିକନିକ ତଥ୍ୟ ହାସଲ କରିଛି ଆୟକର ବିଭାଗ । ତେବେ ବିଶାଳ ଦାସଙ୍କ ନାଁରେ ଭୂତ କମ୍ପାନି ରହିଛି କି ନାହିଁ  ଆୟକର ବିଭାଗ ତାହାର ଯାଞ୍ଚ କରିଥିବା ସୂଚନା ମିଳିଛି।

ତେବେ ଗତ ୧୯ ତାରିଖ ସକାଳୁ ସକାଳୁ ର୍ପୂବତନ ମନ୍ତ୍ରୀ ନବ ଦାସଙ୍କ ଘରେ ଆୟକର ବିଭାଗ ଚଢାଉ କରିଥିଲା  । ଏକକାଳୀନ ୧୯ ଟି ସ୍ଥାନରେ ରେଡ୍ କରିଥିଲା ଆୟକର ବିଭାଗ । ଝାରସୁଗୁଡ଼ା ସମେତ ସମ୍ବଲପୁର, ସୁନ୍ଦରଗଡ଼, କେନ୍ଦୁଝର, ଦିଲ୍ଲୀରେ ନବ ଦାସଙ୍କ ବିଭିନ୍ନ ଠିକଣାରେ ଖୋଳତାଡ଼ କରିଥିଲା ଟିମ୍ । କୋଇଲା ଟ୍ରାନ୍ସପୋର୍ଟରେ ଆୟକର ଠକେଇ ଅଭିଯୋଗରେ ଚଢ଼ଉ ହୋଇଥିବା ନେଇ ସୂଚନା ମିଳିଥିଲା । ରେଡ୍‌ରେ ପ୍ରାୟ ୧୮୦ ଅଧିକାରୀ ସାମିଲ ହୋଇଥିଲେ ।

ତେବେ କହିରଖୁଛୁ ଯେ, ପୂର୍ବରୁ ଚଳିତ ବର୍ଷ ନବ ଦାସଙ୍କ ଭାଇ ବ୍ରଜ ଦାସଙ୍କ ଘରେ ଆୟକର ବିଭାଗ ପକ୍ଷରୁ ରେଡ କରାଯାଇଥିଲା । ଭୁବନେଶ୍ବର ଓ ଛତିଶଗଡର ଟିମ ଏହି ରେଡରେ ସାମିଲ ହୋଇଥିବାବେଳେ ବ୍ରଜ ଦାସଙ୍କ ଘରୁ ଏକାଧିକ ବିଳାସପୂର୍ଣ୍ଣ କାର ଦେଖିବାକୁ ମିଳିଥିଲା। ସେହିପରି କିଛି ମାସ ପୂର୍ବରୁ ଦିବଙ୍ଗତ ମନ୍ତ୍ରୀ ନବ ଦାସଙ୍କ ପୁଅ ତଥା ଝାରସୁଗୁଡ଼ା ବିଧାୟିକା ପ୍ରାର୍ଥୀ ଦୀପାଳି ଦାସଙ୍କ ଭାଇ ବିଶାଳ ଦାସଙ୍କ ପିଏ ଆଶିଷ ଦାସଙ୍କ ଘରେ ଆୟକର ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲ। । ଏଥିସହ ଆୟକର ବିଭାଗ ଅଧିକାରୀ ବିଶାଳ ଦାସଙ୍କୁ ଝାରସୁଗୁଡ଼ାର ଏକ ଘରୋଇ ହୋଟେଲକୁ ଡାକି ପ୍ରାୟ ୪ ଘଣ୍ଟା ଧରି ଜେରା କରିଥିଲେ ।