୩ ବର୍ଷରେ ନଦୀ ନେଇଛି ୯୭୦ ମୁଣ୍ଡ

ହର ପ୍ରସାଦ ବିଶୋଇ / ଭୁବନେଶ୍ୱର: ଗତ ତିନି ବର୍ଷରେ ନଦୀରେ ବୁଡି ଯିବାରୁ ୯୭୦ ଜଣଙ୍କର ମୃତ୍ୟୁ ହୋଇଛି । ନଦୀରେ ଗାଧୋଇବାକୁ ଯାଇ ୩ ବର୍ଷରେ ୯୭୦ ଜଣ ମୃତ୍ୟୁ ବରଣ କରିଥିବା ଜଣାପଡିଛି । ଏନେଇ ବିଧାନସଭାରେ ଉତ୍ତର ରଖିଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ।ରାଜ୍ୟରେ ବିଭିନ୍ନ ସହର ନିକଟରେ ଥିବା ନଦୀମାନଙ୍କରେ ଗାଧୋଇବା ସମୟରେ ଗତ ୩ ବର୍ଷ ମଧ୍ୟରେ କେତେ ଜଣ ବୁଡିଛନ୍ତି ଏବଂ ସେମାନଙ୍କ ମଧ୍ୟରୁ କେତେଜଣ ମୃତ୍ୟୁବରଣ କରିଛନ୍ତି ଓ କେତେଜଣଙ୍କୁ ଉଦ୍ଧାର କରାଯାଇଛି ସେ ନେଇ ବିବୃତ୍ତି ଜାରି କରାଯାଇଛିି । ଏପରିକି ଏଭଳି ଦୁର୍ଘଟଣାକୁ ଏଡାଇବା ପାଇଁ ସରକାରଙ୍କ ପକ୍ଷରୁ କଣ ପଦକ୍ଷେପ ନିଆଯାଇଛି ବୋଲି ପ୍ରଶ୍ନ କରିଥିଲେ ବିଧାୟକ ସୌଭିକ ବିଶ୍ୱାଳ ।ଏହି ବିବୃତ୍ତିରେ ଉତ୍ତର ରଖିଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା । ରାଜ୍ୟରେ ବିଭିନ୍ନ ନଦୀ ମାନଙ୍କରେ ଗାଧୋଇବା ସମୟରେ ଗତ ୩ ବର୍ଷରେ ୧୬୧୫ ଜଣ ବୁଡିଥିବା ବେଳେ ୬୧୩ ଜଣଙ୍କୁ ଉଦ୍ଧାର କରାଯାଇଛି ଏବଂ ୯୭୦ ଜଣଙ୍କର ମୃତ୍ୟୁ ହୋଇଛି। ନଦୀ ନିକଟରେ ଥିବା ବିଭିନ୍ନ ବିପଦଶଙ୍କୁଳ ସ୍ଥାନରେ ପର୍ବପର୍ବାଣି ସମୟରେ ସତର୍କତା ଅବଲମ୍ବନ ପାଇଁ ଆବଶ୍ୟକୀୟ ଅଗ୍ନିଶମ ଓ ଜରୁରୀକାଳୀନ କର୍ମଚାରୀଙ୍କୁ ଉଦ୍ଧାର ପାଇଁ ଆବଶ୍ୟକ ଉପକରଣ ସହ ମୁତୟନ କରାଯାଇଥାଏ ବୋଲି ମଧ୍ୟ କହିଛନ୍ତି ମନ୍ତ୍ରୀ ।