ମଧ୍ୟପ୍ରଦେଶ : ଆଜି ନିର୍ଦ୍ଧାରିତ ସମୟରେ ମଧ୍ୟପ୍ରଦେଶ ବିଧାନସଭାର ୨୩୦ଟି ଆସନ ଓ ଦ୍ଵିତୀୟ ପର୍ଯ୍ୟାୟରେ ଛତିଶଗଡ଼ର ୭୦ଟି ବିଧାନସଭା ଆସନ ନିମନ୍ତେ ଭୋଟ୍ ଗ୍ରହଣ ଚାଲିଛି । ଆଜି ସକାଳ ୭ଟା ବେଳେ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ନିମନ୍ତେ ୨୩୦ଟି ଆସନ ଲାଗି ଆରମ୍ଭ ହୋଇଥିବା ଭୋଟ୍ ଗ୍ରହଣରେ ୨,୫୩୩ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ ହେବ। ରାଜ୍ୟର ବିଭିନ୍ନ ସ୍ଥାନରେ ଭୋଟ୍ ଗ୍ରହଣ ପାଇଁ କରାଯାଇଥିବା ବୁଥ୍ରେ ଭୋଟ୍ ଦେବା ପାଇଁ ଲୋକେ ଧାଡ଼ିବାନ୍ଧି ଠିଆ ହୋଇଛନ୍ତି।
ସୂଚନାନୁଯାୟୀ , ଆଜି ସକାଳ ୮ଟା ବେଳେ ଛତିଶଗଡ଼ରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଛି। ଏଥିରେ ୭୦ଟି ଆସନ ପାଇଁ ଭୋଟ୍ ଗ୍ରହଣ କରାଯିବ। ଆଜିର ଏହି ମତଦାନରେ ଛତିଶଗଡ଼ର ରାଜଧାନୀ ରାୟପୁରରେ ଥିବା ୨୦୧ଟି ବୁଥ୍ରେ କେବଳ ମହିଳା ଟିମ୍ ମତଦାନ ପରିଚାଳନା କରୁଛନ୍ତି ବୋଲି ଜିଲ୍ଲା ପ୍ରଶାସନ କହିଛି।