ବେଆଇନ ଗୋରୁ ଚାଲାଣ, ଗର୍ଜିଲା ଗୋ ସୁରକ୍ଷା ମଞ୍ଚ…

ସୁବର୍ଣ୍ଣପୁର ପୁର ଜିଲ୍ଲା ରାମପୁର ସାପ୍ତାହିକ ଗୋରୁ ବଜାରରୁ ବେଆଇନ ଭାବେ ଗୋରୁ ଚାଲାଣରେ ଲିପ୍ତ ଥିବା ବ୍ୟକ୍ତି ବିଶେଷ ଓ ରାଜନେତାଙ୍କ ବିରୋଧରେ କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କରି  ଜିଲ୍ଲା ଓ ଗୋଚର ସୁରକ୍ଷା ମଞ୍ଚ ଗର୍ଜନ କରିଛି । ମଞ୍ଚର ଶତାଧିକ ବ୍ୟକ୍ତି ବିଭିନ୍ନ ପ୍ଲା’ କାର୍ଡ ଧରି   ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ବିଭିନ୍ନ ଦାବି ସମ୍ବଳିତ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲାପାଳଙ୍କୁ ପ୍ରଦାନ କରିଥିଲେ । ମଞ୍ଚ ପକ୍ଷରୁ ଦିଆଯାଇଥିବା ଦାବିପତ୍ରରେ, ମାର୍ଚ୍ଚ ମାସ ମଧ୍ୟଭାଗରେ ବେଆଇନ ଗୋରୁ ଚାଲାଣ କରୁଥିବା ଏକ କଣ୍ଟେନଟ ଗାଡ଼ିକୁ ସମ୍ବଲପୁର ପୁଲିସ ଜବତ କରିଥିଲେ । ତଦନ୍ତ ସମୟରେ ଏହି କାର୍ଯ୍ୟରେ ଗୋରୁ ବାଜାରର ଠିକାଦାର ଓ ଅନ୍ୟ ୪ ଜଣ ସମ୍ବଲପୁରରେ ଗିରଫ ହୋଇଥିଲେ । ଏମାନେ ସମସ୍ତେ ରାମପୁର ଅଞ୍ଚଳର ବିଜେଡିର କର୍ମକର୍ତ୍ତା ଓ ସ୍ଥାନୀୟ ବିଧାୟକଙ୍କ ସହ ଘନିଷ୍ଠ ସମ୍ପର୍କ ରହିଛି । ଗତ ୨୪ ବର୍ଷ ହେଲା ବିଜେଡିର ସ୍ଥାନୀୟ ବିଧାୟକଙ୍କ ପ୍ରତ୍ୟକ୍ଷ ଓ ପରୋକ୍ଷ ସହଯୋଗରେ କଲିକତା ବାଂଲାଦେଶକୁ ଏହି ବେଆଇନ ଗୋରୁ ଚାଲାଣ ହେଉଛି । ବେଆଇନ ଭାବେ ନିଜ ସମର୍ଥକଙ୍କ ନାଁରେ ଗୋରୁ ବଜାର ଠିକା କରାଇ ସପ୍ତାହକୁ ପ୍ରାୟ ୪ ହଜାର ଗୋରୁ ରାମପୁର ବଜାରୁ ପଶ୍ଚିମବଙ୍ଗ ଚାଲାଣ କରାଇ କୋଟିକୋଟି ଟଙ୍କାର ମୁନାଫା ଉଠାଉଛନ୍ତି । ରାମପୁର ବଜାରରୁ ବେଆଇନ ଭାବେ ପଶ୍ଚିମବଙ୍ଗକୁ ଗୋରୁ ଚାଲାଣ କରିବା, ଗୋରୁ ହାଟ ନିଜ ସମର୍ଥକଙ୍କୁ ଲିଜ ଦେବା ଆଦିର କ୍ରାଇମବ୍ରାଞ୍ଚ ତଦନ୍ତ କରିବାକୁ ମଞ୍ଚ ଦାବି କରିଛି ।  ଏହି କାର୍ଯ୍ୟକ୍ରମରେ ବଜରଙ୍ଗ ଦଳର ଅଂଶୁମାନ ପଣ୍ଡା, ଅଶୂଳ ଭାରତୀୟ ବିଶ୍ୱ ହିନ୍ଦୁ ପରିଷଦର ଶୁଭମ ପ୍ରସାଦ ମିଶ୍ର, ବିଶ୍ୱ ହିନ୍ଦୁ ପରିଷଦର ମିତ୍ରଭାନୁ ମେହେର, ମଞ୍ଚ  ଆବାହକ ପ୍ରମୋଦ ମହାପାତ୍ର, ଗୁପ୍ତ ପ୍ରସାଦ ମିଶ୍ର ପ୍ରମୁଖଙ୍କ  ସହ ଶତାଧିକ ବ୍ୟକ୍ତି ସାମିଲ ହୋଇଥିଲେ ।