ଭୁବନେଶ୍ବର: ଭାରତର ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ଭାବେ ପୁଣିଥରେ ବାଜି ମାରିଛି ଆଇଆଇଟି ମାଡ୍ରାସ । ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ନ୍ୟାସନାଲ ଇନଷ୍ଟିଚ୍ୟୁସନାଲ ରାଙ୍କିଂ ଫ୍ରେମୱର୍କ (ଏନଆଇଆର୍ଏଫ୍) -୨୦୨୫ ଘୋଷଣା କରାଯାଇଛି । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ ସାମ୍ବାଦିକ ସମ୍ମିଳନୀରେ ଆନୁଷ୍ଠାନିକ ଭାବରେ ରାଙ୍କିଂ ପ୍ରକାଶ କରିଛନ୍ତି। ଏନଆଇଆର୍ଏଫ୍ର ଶିକ୍ଷା ମନ୍ତ୍ରଣାଳୟର ଦ୍ୱାରା ସରକାରୀ ୱେବସାଇଟ୍ nirfindia.orgରେ ଉପଲବ୍ଧ କରାଯାଇଛି । ତେବେ ରାଙ୍କିଂ ଅନୁସାରେ ସାମଗ୍ରିକ ପ୍ରତିଷ୍ଠାନ ତାଲିକାର ଶୀର୍ଷରେ IIT ମାଡ୍ରାସ ସ୍ଥାନ ପାଇଛି।
ସେହିପରି IIsc ବାଙ୍ଗାଲୋର ଶ୍ରେଷ୍ଠ ୟୁନିଭର୍ସିଟି ହୋଇଥିବା ବେଳେ ୨ୟରେ ଅଛି JNU । ଟପ୍ ମ୍ୟାନେଜମେଣ୍ଟ ତାଲିକାରେ IIM ଅହମ୍ମଦାବାଦ ଶୀର୍ଷରେ ଅଛି । ଅନ୍ୟପଟେ କଲେଜ ତାଲିକାର ଶୀର୍ଷରେ ଅଛି ହିନ୍ଦୁ କଲେଜ । ୨ୟରେ ମିରାଣ୍ଡା, ୩ୟରେ ହଂସ ରାଜ କଲେଜ ସ୍ଥାନ ପାଇଛି । ତେବେ ପ୍ରଥମ ୧୦ ଶିକ୍ଷାନୁଷ୍ଠାନ ତାଲିକାରେ ସ୍ଥାନ ପାଇନି ଓଡ଼ିଶାର କୌଣସି ବି ବିଶ୍ବବିଦ୍ୟାଳୟ। ତେବେ ଓଡିଶାର ସାମଗ୍ରିକ ପ୍ରତିଷ୍ଠାନ ତାଲିକାର ୨୫ତମ ସ୍ଥାନରେ ‘ସୋଆ’ ରହିଥିବା ବେଳେ ୨୭ତମ ସ୍ଥାନରେ ରହିଛି କିଟ୍ । ୩୪ରେ NIT ରାଉରକେଲା, ୮୦ରେ ଆଇଆଇଟି ଭୁବନେଶ୍ବର ରହିଛି । ଅନ୍ୟପଟେ ଇଞ୍ଜିନିୟରିଂ ମାନ୍ୟତାରେ NIT ରାଉରକେଲା ୧୩ ନମ୍ବରରେ ଥିବା ବେଳେ ସୋଆ-୨୨, କିଟ୍- ୩୬ ନମ୍ବରରେ ରହିଛି । ସେହିପରି ବିଶ୍ବବିଦ୍ୟାଳୟ ମାନ୍ୟତାର ୧୫ରେ ସୋଆ ଓ ୧୭ରେ କିଟ୍ ରହିଥିବା ବେଳେ ମେଡିକାଲ କଲେଜ ମାନ୍ୟତାର ୧୪ରେ ଏମ୍ସ, ୧୫ରେ ସୋଆ, ୨୪ରେ କିଟ୍ ଏବଂ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ମାନ୍ୟତାରେ ୩୦ରେ NIT ରାଉରକେଲା, ୪୩ରେ କିଟ୍ ରହିଛି । ତେବେ କଲେଜ କ୍ୟାଟେଗୋରୀରେ ଟପ୍-୧୦୦ରେ ଓଡ଼ିଶାର କୌଣସି କଲେଜ ନାହିଁ ।
ପ୍ରତିବର୍ଷ ପରି ଏଥର ମଧ୍ୟ ଛାତ୍ରଛାତ୍ରୀ ଏବଂ ଅଭିଭାବକମାନେ ଜାଣିବା ପାଇଁ ଉତ୍ସାହର ସହିତ ଅପେକ୍ଷା କରିଥିଲେ ଯେ କେଉଁ ଶିକ୍ଷାନୁଷ୍ଠାନ ଶୀର୍ଷରେ ପହଞ୍ଚିବ ଏବଂ କେଉଁ କଲେଜଗୁଡ଼ିକ ଉନ୍ନତ ପ୍ରଦର୍ଶନ ପାଇଁ ସ୍ୱୀକୃତି ପାଇବେ। ଏନଆଇଆରଏଫ୍ ରାଙ୍କିଂକୁ ଦେଶବ୍ୟାପୀ ଉଚ୍ଚଶିକ୍ଷା ପ୍ରତିଷ୍ଠାନର ଗୁଣାତ୍ମକ ମାନର ଏକ ବଡ଼ ମାପକାଠି ଭାବରେ ବିବେଚନା କରାଯାଏ ଏବଂ ଏହା ଛାତ୍ରଛାତ୍ରୀମାନଙ୍କ ପାଇଁ ସଠିକ୍ କ୍ୟାରିଅର ବାଛିବାରେ ସହାୟକ ପ୍ରମାଣିତ ହୁଏ।