ଆଇସିସି ଟି-୨୦ ବିଶ୍ୱକପ୍ ୨୦୨୬: ପାକିସ୍ତାନର ଦମଦାର ବିଜୟ, ସୁପର-୮ରେ ମିଳିଲା ସ୍ଥାନ

ନୂଆଦିଲ୍ଲୀ: ଆଇସିସି ଟି-୨୦ ବିଶ୍ୱକପ୍ ୨୦୨୬ର ୩୫ତମ ମ୍ୟାଚ୍‌ରେ ପାକିସ୍ତାନ ନାମିବିଆକୁ ୧୦୨ ରନରେ ପରାସ୍ତ କରି ସୁପର-୮ରେ ନିଜ ସ୍ଥାନ ପକ୍କା କରିଛି। କୋଲମ୍ବୋର R. Premadasa Stadium ରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୧୯୯ ରନ ସଂଗ୍ରହ କରିଥିଲା। ପାକିସ୍ତାନ ପକ୍ଷରୁ ସାହିବଜାଦା ଫରହାନ ଅସାଧାରଣ ପ୍ରଦର୍ଶନ କରିଥିଲେ। ତାଙ୍କର ଶତକୀୟ ଇନିଂସ ପାକିସ୍ତାନକୁ ଏକ ମଜବୁତ ସ୍କୋର ଦେଇଥିଲା। ତାଙ୍କ ସହ ସଲମାନ ଅଲି ଆଗା ୩୮ ରନ ଏବଂ ଶାଦାବ ଖାନ ୩୬ ରନ କରି ଦଳକୁ ସହଯୋଗ କରିଥିଲେ।

୨୦୦ ରନର ଲକ୍ଷ୍ୟ ପିଛା କରିବାକୁ ନାମିବିଆ ମାଇଦାନକୁ ନାମିଥିଲା। କିନ୍ତୁ ପାକିସ୍ତାନର ଦୃଢ଼ ବୋଲିଂ ସମ୍ମୁଖୀନ ହୋଇ ସେମାନେ ୧୭.୩ ଓଭରରେ ୯୭ ରନରେ ସମସ୍ତ ଆଉଟ୍ ହୋଇଯାଇଥିଲେ। ଏହା ସହ ପାକିସ୍ତାନ ୧୦୨ ରନର ବିଶାଳ ବିଜୟ ହାସଲ କରିଥିଲା। ସାହିବଜାଦା ଫରହାନ ୫୮ ବଲରେ ୪ଟି ଛକା ଓ ୧୧ଟି ଚୌକା ସହ ଅପରାଜିତ ୧୦୦ ରନର ଏକ ଐତିହାସିକ ଇନିଂସ ଖେଳିଥିଲେ। ସେ ଟି-୨୦ ବିଶ୍ୱକପ୍‌ରେ ଶତକ ହାସଲ କରିଥିବା ଦ୍ୱିତୀୟ ପାକିସ୍ତାନୀ ବ୍ୟାଟସ୍ମାନ୍ ଭାବେ ରେକର୍ଡ ଗଢ଼ିଥିଲେ। ତାଙ୍କ ଏହି ଇନିଂସ ପାକିସ୍ତାନ ପାଇଁ ବିଜୟର ମୂଳ ଭୂମିକା ନିଭାଇଥିଲା। ଏହି ମ୍ୟାଚ୍ ପାକିସ୍ତାନ ପାଇଁ ‘କର ବା ମର’ ପରିସ୍ଥିତି ଥିଲା। କିନ୍ତୁ ଦଳ ସମସ୍ତ ଦାୟିତ୍ୱ ନିଭାଇ ଦମଦାର ପ୍ରଦର୍ଶନ କରି ସୁପର-୮ରେ ନିଜର ସ୍ଥାନ ନିଶ୍ଚିତ କରିଛି।