ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ଦାୟିତ୍ୱ ଗ୍ରହଣ କଲେ ଭି ଭି ଯାଦବ

ଦାୟିତ୍ୱ ଗ୍ରହଣ ପୂର୍ବରୁ ପ୍ରଥମେ କଲେ ଶ୍ରୀଜିଉଙ୍କ ଦର୍ଶନ

ପୁରୀ: ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଆଇଏସ ବୀର ବିକ୍ରମ ଯାଦବ । ପୁରୀରେ ପହଁଚିବା ପରେ ତାଙ୍କୁ ପ୍ରଶାସନ ପକ୍ଷରୁ ଅତ୍ୟନ୍ତ ଭବ୍ୟ ସ୍ୱାଗତ କରାଯାଇଥିଲା । ଗତ ଶନିବାର ରାତିରେ ଚୁଲି ଭାଙ୍ଗିବା ଘଟଣାକୁ ତର୍ଜମା କରିଛନ୍ତି ଶ୍ରୀଯୁକ୍ତ ଯାଦବ । ଶ୍ରୀମନ୍ଦିରକୁ କିଭଳି ଅଧିକ ସୁରକ୍ଷା ଦିଆଯାଇ ପାରିବ ସେ ନେଇ ଅନୁଧ୍ୟାନ କରିଛନ୍ତି ।

ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ ପ୍ରଥମେ ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କ ଦର୍ଶନ କରିଛନ୍ତି ୧୯୯୬ ବ୍ୟାଚ୍ IAS ବୀର ବିକ୍ରମ ଯାଦବ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ତାଙ୍କୁ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ପୂର୍ତ୍ତ ସଚିବ ଭାବେ ମଧ୍ୟ ଅବସ୍ଥାପିତ ହୋଇଛନ୍ତି ବୀର ବିକ୍ରମ ଯାଦବ । ପୂର୍ବରୁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପ୍ରମୁଖ ସଚିବ ଥିଲେ ଭି ଭି ଯାଦବ ।

ଅନ୍ୟପକ୍ଷେ, ପୁରୀ ଶ୍ରୀମନ୍ଦିର ରୋଷଘର ଚୁଲି ଭଙ୍ଗା ଘଟଣାରେ ପ୍ରେସମିଟ୍ କରିଛନ୍ତି ପୁରୀ ଏସପି କନଓ୍ୱର ବିଶାଲ ସିଂ । ଏହି ଘଟଣାରେ ଏବେ ସୁଦ୍ଧା ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିବାବେଳେ, ତାଙ୍କ ନାମ ଜେ ମହାପାତ୍ର ବୋଲି ଜଣାପଡିଛି । ତେବେ ସେହି ବ୍ୟକ୍ତି ଜଣକ ଖୋର୍ଦ୍ଧା ଜିଲ୍ଲାର ବେଗୁନିଆପଡା ଅଞ୍ଚଳର ବୋଲି ପୁରୀ ଏସପି ସୂଚନା ଦେଇଛନ୍ତି । ଅନ୍ୟପଟେ ପ୍ରାଥମିକ ପଚରାଉଚରାରୁ ଅଭିଯୁକ୍ତ ଜଣକ ନିଜର ଦୋଷ ସ୍ୱୀକାର କରିନେଇଛନ୍ତି ।

ପୁରୀ ଏସପିଙ୍କ କହିବା ଅନୁଯାୟୀ ସେହି ବ୍ୟକ୍ତି ଜଣକ ପ୍ରଥମେ ଶ୍ରୀମନ୍ଦିରରେ ପଶି ମହାପ୍ରଭୁଙ୍କ ଦର୍ଶନ କରିଥିଲା । ଏହାପରେ କୌଣସି କଥା ତାକୁ ଭଲ ନଲାଗିବା କାରଣୁ ସେ ଏପରି କାମ କରିଛି ବୋଲି ସେ ସ୍ୱୀକାର କରିଛି । ଏହା ସହିତ ଗିରଫ ହେବା ପରେ ସେ ନିଜକୁ ଜଣେ ଜଗନ୍ନାଥଙ୍କ ଭକ୍ତ ବୋଲି ପୋଲିସକୁ ସୂଚନା ଦେଇଛି । ଅନ୍ୟପଟେ ପୁରୀ ପୋଲିସ ଅଭିଯୁକ୍ତକୁ ପଚାରଉଚରା କରୁଥିବା ବେଳେ କିଛି ତଥ୍ୟ ବର୍ତ୍ତମାନ ଗୋପନୀୟ ରଖାଯାଇଛି, ଯାହାକି ପରବର୍ତ୍ତୀ ସମୟରେ ଜଣାଇ ଦିଆଯିବ ବୋଲି ପୁରୀ ଏସପି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।