ପରିବର୍ତ୍ତନ ହେବ ହାଇଦ୍ରାବାଦର ନାମ !

ନୂଆ ନାମରେ ପରିଚୟ ପାଇବ ଏହି ପୁରାତନ ସହର

(ହାଇଦ୍ରାବାଦ) : ବଦଳିବ କି ହାଇଦ୍ରାବାଦର ନାମ । ନୂଆ ନାମରେ ପରିଚୟ ପାଇବ ଏହି ପୁରାତନ ସହର। କାରଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସେମିତି କିଛି ଇସାରା କରିଛନ୍ତି । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି।

ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟାକାରିଣୀ ବୈଠକରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ହାଇଦ୍ରାବାଦରେ ପହଞ୍ଚିଥିଲେ। ଏହି ଅବସରରେ ସେ ବିରାଟ ଜନସଭାକୁ ସମ୍ବୋଧନ କରିଥିଲେ। ମୋଦି ତାଙ୍କ ଭାସଣରେ ହାଇଦ୍ରାବାଦକୁ ‘ଭାଗ୍ୟନଗର’ କହି ସମ୍ବୋଧନ କରିଥିଲେ। ବର୍ତ୍ତମାନ ବଂଶବାଦ ରାଜନୀତିର ଅନ୍ତ ସମୟ ଅରସିଛି ବୋଲି ମୋଦି କହିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଦେଶକୁ ଏକାଠି କରିବାର ଅଭିଯାନ ସର୍ଦ୍ଦାର ବଲ୍ଲବ ଭାଇ ପଟେଲ ଏହି ଭାଗ୍ୟନଗରରୁ ହିଁ ଆରମ୍ଭ କରିଥିଲେ।

ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ର ଶେଖର ରାଓଙ୍କୁ ଟାର୍ଗେଟ କରି ମୋଦି କହିଥିଲେ ଯେ, ବଂଶବାଦ ରାଜନୀତିର ଅନ୍ତ ହେବାର ସମୟ ଆସିଛି। ଯୁବପିଢ଼ିମାନେ ବଂଶବାଦର ରାଜନୀତିକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ପରିବାରବାଦ ରାଜନୀତି ଏବଂ ବଂଶବାଦ ରାଜନୈତି ଦଳ ପ୍ରତି ଦେଶବାସୀ ଏକଦମ ବୀତସ୍ପୃହ। ଏହି ଦଳମାନେ ତିଷ୍ଟିବା ଅତି କଷ୍ଟକର। ଯେଉଁ ଦଳ ଦୀର୍ଘ ବର୍ଷ ଧରି କ୍ଷମତାରେ ରହି ଶାସନ କରିଆସୁଥିଲେ ବର୍ତ୍ତମାନ ତାହା ପତନାଭିମୁଖୀ। ଆମେ ସେମାନଙ୍କୁ ଉପହାସ ନୁହେଁ ବରଂ ସେମାନଙ୍କ ଭୁଲରୁ ଶିଖିବା ଉଚିତ ବୋଲି ମୋଦି କହିଥିଲେ।