ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ନାକ କାମୁଡ଼ି ଛିଡ଼େଇ ଦେଲା ସ୍ୱାମୀ

ଦିଲ୍ଲୀ : ସ୍ତ୍ରୀର ନାକ କାମୁଡି ଛିଡ଼ାଇଦେଲା ସ୍ୱାମୀ । ଆଜ୍ଞା ହଁ ସ୍ତ୍ରୀର ଚରିତ୍ର ଉପରେ ସନ୍ଦେହ କରି ବ୍ୟକ୍ତି ଜଣଙ୍କ ତାଙ୍କ ନାକ କାମୁଡି ଛିଡ଼ାଇ ଦେଇଛନ୍ତି । ନାକଛିଡ଼ିବା ପରେ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତି ହେଲେ ମହିଳା । ଏଭଳି ଆଶର୍ୟ୍ୟାକର ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶ ବହରାଇଚ ଅଞ୍ଚଳରେ ।

ବେଡନାପୁର ବିଦ୍ୟୁତ ବିଭାଗରେ ଚାକିରି କରନ୍ତି ରଜନୀଦେବୀ ନାମକ ଜଣେ ମହିଳା । ତାଙ୍କ ସ୍ୱାମୀ ଜ୍ଞାନଦତ୍ତ ପାଠକ । ତେବେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ କୌଣସି କଥାକୁ ନେଇ ହୋଇଥିଲା ଝଗଡା । ଆଉ ରାଗି ବାପ ଘରକୁ ଚାଲିଯାଇଥିଲେ ରଜନୀ । ପରେ ତାଙ୍କୁ ବୁଝା ସୁଝା କରାଇ ଘରକୁ ଆଣିବାକୁ ଗଲେ ଜ୍ଞନଦତ୍ତ । ରଜନୀ ବି ରାଗ ଭୁଲି ସ୍ୱାମୀଙ୍କ ସହ ଆସିବାକୁ ହୋଇଗଲେ ରାଜି । ଆଉ ଦୁହେଁ ସାଙ୍ଗହୋଇ ଘରକୁ ଫେରୁଥିଲେ । କିନ୍ତୁ ବାଟରେ ସ୍ୱାମୀ ରଚିଥିଲେ ଷଡଯନ୍ତ୍ର । ଟିକୋରାମୋଡ୍ ପାଖରେ ଜଗି ରହିଥିଲେ ତାଙ୍କର ଦୁଇ ସାଥୀ । ସେଠାରେ ପହଞ୍ଚିବା ପରେ ଦୁଇଜଣ ରଜନୀଙ୍କୁ କରିନେଇଥିଲେ କବ୍ଜା । ଆଉ ପରେ ସ୍ୱାମୀ ଘଟାଇଥିଲା ଏହି ଆଶର୍ୟ୍ୟଜନକ ଘଟଣା । ସ୍ତ୍ରୀର ନାକକୁ ଦାନ୍ତରେ କାମୁଡି ଛିଡାଇ ଦେଇଥିଲା ସ୍ୱାମୀ ଜ୍ଞାନଦତ୍ତ।

ପରେ ଗୁରୁତର ଅବସ୍ଥାରେ ମହିଳାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ପୀଡିତାଙ୍କ ମା’ କୁସୁମ ତିୱାରୀ କହିଛନ୍ତି ଯେ, ଝିଅକୁ ଆକ୍ରମଣ କରିଥିବାରୁ ତାଙ୍କ ଜ୍ୱାଇଁଙ୍କ ନାଁରେ ମାମଲା ରୁଜୁ ହୋଇଛି । ଏହି ଘଟଣା ପରଠାରୁ ଅଭିଯୁକ୍ତମାନେ ଫେରାର ଅଛନ୍ତି । ପୋଲିସ ଜ୍ଞାନଦତ୍ତଙ୍କ ସମେତ ଏହି ଦୁଇ ଅଭିଯୁକ୍ତଙ୍କୁ ପୋଲିସ ଖୋଜା ଜାରିରଖିଛି ।