ଲୁହରେ ଭିଜିଲା ଜନ୍ମମାଟି: ହ୍ୟୁମାନଙ୍କ ଶେଷକୃତ୍ୟ ସମ୍ପର୍ଣ୍ଣ

Human Sagar: ଓଡ଼ିଶା ସଂଗୀତ ଜଗତର ଚର୍ଚ୍ଚିତ ଓ ଲୋକପ୍ରିୟ ଗାୟକ ହ୍ୟୁମାନ୍‌ ସାଗରଙ୍କ ଶେଷକୃତ୍ୟ ସମ୍ପର୍ଣ୍ଣ ହୋଇଛି । ଆଜି ସନ୍ଧ୍ୟାରେ ବଲାଙ୍ଗୀରଜିଲ୍ଲା ଟିଟିଲାଗଡ଼ ନିଜ ଜନ୍ମମାଟିରେ ଖ୍ରୀଷ୍ଟିଆନ୍ ରୀତିନୀତିରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ହ୍ୟୁମାନ ସାଗରଙ୍କ ଅନ୍ତିମ ବିଦାୟ ସ୍ଥାନୀୟ ଏକ ଚର୍ଚ୍ଚରେ କରାଯାଇଛି । ପରଂପରା ଅନୁସାରେ ଅନୁଷ୍ଠିତ ଶେଷକୃତ୍ୟ କାର୍ଯ୍ୟକ୍ରମରେ ଲକ୍ଷାଧିକ ପ୍ରଶଂସକ ଓ ଶୁଭେଚ୍ଛୁ ସାମିଲ ହୋଇ ମରଶରୀରକୁ ଅଶ୍ରୁଳ ବିଦାୟ ଦେଇଥିଲେ। ପାର୍ଥିବ ଶରୀରର ଶେଷ ଦର୍ଶନ ପାଇଁ ବଲାଙ୍ଗୀର, କଣ୍ଟାବାଞ୍ଜି, ସଇଁତଳାରୁ ମଧ୍ୟ ପ୍ରଶଂସକମାନେ ଛୁଟି ଆସିଥିଲେ। ମରଶରୀର ଟିଟିଲାଗଡ଼ରେ ପହଞ୍ଚିଲା ପରେ ହ୍ୟୁମାନଙ୍କର ଘରେ ଓ ଘର ବାହାରେ ପ୍ରବଳ ଭିଡ଼ ଲାଗିଥିଲା। ପରିବାର ଲୋକ, ସଂପର୍କୀୟ, ପ୍ରଶଂସକମାନେ ଶ୍ରଦ୍ଧାଞ୍ଜଳି ଦେବା ସହିତ ଅନ୍ତିମ ଦର୍ଶନ କରିଥିଲେ।

ସୂଚନାଯୋଗ୍ୟ, ଏକାଧିକ ରୋଗରେ ପୀଡ଼ିତ ହୋଇ ହ୍ୟୁମାନ ସାଗର ଭୁବନେଶ୍ବର ଏମ୍ସରେ ଭର୍ତ୍ତି ହୋଇଥିଲେ । ସେଠାରେ ଗୁରୁତର ଅବସ୍ଥାରେ ତାଙ୍କର ଚିକିତ୍ସା ଚାଲିଥିବା ବେଳେ ଗତକାଲି ରାତିରେ ତାଙ୍କର ପରଲୋକ ଘଟିଥିଲା । ଏହି ଖବର ଜଣାପଡିବା ପରେ ଏମ୍ସ ପରିସରରେ ସିନେ ଜଗତର ବହୁ କଳାକାଳ, ସଙ୍ଗୀତ ଜଗତର ବ୍ୟକ୍ତି ବିଶେଷ ଓ ପ୍ରଶଂସକଙ୍କ ଭିଡ଼ ଜମିଥିଲା । ସମସ୍ତେ ନିଜ ନିଜ ସ୍ତରରେ ତାଙ୍କ ସହ ବିତାଇଥିବା ସମୟକୁ ମନେ ପକାଇଥିଲେ । ହ୍ୟୁମାନଙ୍କ ପରଲୋକକୁ ନେଇ ରାଜ୍ୟପାଳ ହରିବାବୁ କମ୍ଭମପତି, ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିବା ସହ ତାଙ୍କ ପରିବାରକୁ ସମବେଦନା ଜଣାଇଥିଲେ ।