ଘର ଘର ସମ୍ବିଧାନ ଅଭିଯାନ ଶୁଭାରମ୍ଭ

ସାମ୍ବିଧାନିକ ଶାସନ ବ୍ୟବସ୍ଥାରେ ନାଗରିକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର : ଭାରତୀୟ ସମ୍ବିଧାନ ଗୃହିତ ହେବାର ୭୫ ତମ ବର୍ଷ ଅବସରରେ ସାମ୍ବିଧାନିକ ସଚେତନତା ତଥା ନାଗରିକଙ୍କର ସାମ୍ବିଧାନିକ ଶାସନରେ ଭାଗିଦାରୀ ଦୃଢ଼ କରିବା ନିମନ୍ତେ ଘର ଘର ସମ୍ବିଧାନ ଅଭିଯାନର ଶୁଭାରମ୍ଭ କରାଯାଇଛି । ଏଥି ନିମନ୍ତେ ଭୁବନେଶ୍ୱରଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ କାର୍ଯ୍ୟକ୍ରମର ଖସଡ଼ା ପ୍ରସ୍ତୁତ କରାଯାଇଛି ।


ଆଇନ ସେବା ସଂସ୍ଥା କ୍ଲାପ ଦ୍ୱାରା ପ୍ରାୟୋଜିତ ଏହି କାର୍ଯ୍ୟକ୍ରମରେ ରାଜ୍ୟବ୍ୟାପି ସାମ୍ବିଧାନିକ ଶିକ୍ଷା ପ୍ରଦାନ କରିବାର ଲକ୍ଷ୍ୟ ରଖାଯାଇଛି । ଏହାଦ୍ୱାରା ସାମ୍ବିଧାନିକ ଶାସନରେ ପ୍ରତ୍ୟେକ ବର୍ଗ ନିଜର ଭୂମିକା ନିର୍ଣ୍ଣୟ କରିପାରିବେ । ସମ୍ବିଧାନ ଦିବସରେ ଶୁଭାରମ୍ଭ ହୋଇଥିବା ଏହି ଅଭିଯାନ ୧୪ ମାସ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇ ୨୦୨୫ ଜାନୁୟାରୀ ୨୬ରେ ଏହା ଉଦ୍ୟାପିତ ହେବ ବୋଲି ଯୋଜନା ରଖାଯାଇଛି । ୨୦୨୫ ଜାନୁଆରି ୨୬ରେ ଆମ ରାଷ୍ଟ୍ର ସାମ୍ବିଧାନିକ ଶାସନର ୭୫ ବର୍ଷ ଅତିକ୍ରମ କରିବ । ତେଣୁ ଆମ ଦେଶର ସାମ୍ବିଧାନିକ ଶାସନ କିପରି ପ୍ରଚଳନ ହେଉଛି ତାହା ସମୀକ୍ଷା କରି ସାଧାରଣ ଜନତାଙ୍କୁ ଅବଗତ କରାଯିବ । ଏଠାରେ ଉଲ୍ଲେଖଯୋଗ୍ୟ ଯେ ସାଧାରଣତଃ ସମ୍ବିଧାନ କହିଲେ ମୌଳିକ ଅଧିକାର ବୁଝାଯାଏ ମାତ୍ର ଆମ ରାଷ୍ଟ୍ରରେ ଥିବା ବିଭିନ୍ନ ସାମ୍ବିଧାନିକ ସଂସ୍ଥା ସମ୍ପର୍କରେ ଅଧିକାଂଶ ନାଗରିକ ଅବଗତ ନୁହନ୍ତି ।

ଏପରିକି ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ପ୍ରଭୃତି ପ୍ରମୁଖ ପଦବୀ ଯେ ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ ହୋଇଥାଏ, ତାହା ଅନେକ ଅବଗତ ନୁହନ୍ତି । କ୍ଲାପ୍ର ସଭାପତି ଡ଼. ବିକାଶ ଦାସଙ୍କ ପୌରୋହିତରେ ଅନୁଷ୍ଠିତ ଘର ଘର ସମ୍ବିଧାନର ଶୁଭାରମ୍ଭରେ ଓଡ଼ିଶା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ବୀରକିଶୋର ମିଶ୍ର, ନିର୍ବାଚନ ଆୟୋଗର ପୂର୍ବତନ ଉପଦେଷ୍ଟା ଡ଼ ଭଗବାନ ପ୍ରକାଶ, ରାଜ୍ୟ ଆଇନଜୀବୀ ପରିଷଦର ପୂର୍ବତନ ଅଧ୍ୟକ୍ଷ ମାନସ ରଞ୍ଜନ ମହାପାତ୍ର, ସିୱାଇଏସଡ଼ିର ସହ ପ୍ରତିଷ୍ଠାତା ପ୍ରଫୁଲ କୁମାର ସାହୁ, ନାଲକୋ ମହିଳା ସମିତିର ସଭାନେତ୍ରୀ ସସ୍ମିତା ପାତ୍ର ତଥା ପୂର୍ବତନ ମୁଖ୍ୟ ଆୟକର ଆୟୁକ୍ତ ଶରତ ଦାସ ପ୍ରମୁଖ ଯୋଗ ଦେଇ ଭାରତୀୟ ଗଣତନ୍ତ୍ରକୁ ସୁଦୃଢ଼ କରିବା ନିମନ୍ତେ ସମ୍ବିଧାନ ସମ୍ପର୍କରେ ନାଗରୀକଙ୍କର ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ । ଗଣତନ୍ତ୍ରର ତିନି ମୁଖ୍ୟ ସ୍ତମ୍ବ ଯଥା ଆଇନ ପ୍ରଣୟନ ସଂସ୍ଥା, ରାଜ୍ୟପାଳିକା ଓ ନ୍ୟାୟ ପାଳିକାର ଭୂମିକା ଉପରେ ଅତିଥିମାନେ ଆଲୋଚନା କରିଥିଲେ । ଏହି ଅବସରରେ ସାମ୍ବିଧାନ ସମ୍ପର୍କିତ ପୁସ୍ତକ ଏବଂ ଏକ ସଚେତନତା ସାମଗ୍ରୀ ଉନ୍ମୋଚିତ ହୋଇଥିଲା । କାର୍ଯ୍ୟକ୍ରମ ଶେଷରେ କ୍ଲାପ୍ର ସମ୍ପାଦକ ପୁରୁଷୋତ୍ତମ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।