ଅଗ୍ନିରୂପୀ ମା’ ହିଙ୍ଗୁଳାଙ୍କ ଯାତ୍ରାରେ ଲକ୍ଷାଧିକ ଭକ୍ତ, ଶ୍ରଦ୍ଧାଳୁଙ୍କ ସମାଗମ
୧୮ତମ ହିଙ୍ଗୁଳା ଲୋକମହୋତ୍ସବକୁ ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଅନୁଗୁଳ(ଜ୍ୟୋତିରଞ୍ଜନ ଧର): ଅନୁଗୁଳ ଜିଲ୍ଲା ତାଳଚେରର ଅଧୃଷ୍ଠାତ୍ରୀ ଦେବୀ ଅଗ୍ନିରୂପୀ ମା’ ହିଙ୍ଗୁଳାଙ୍କର ବିଶ୍ୱପ୍ରସିଦ୍ଧ ନବଦିନାତ୍ମକ ଯାତ୍ରା ଆଜି ଦ୍ଵିତୀୟ ଦିନରେ ପହଁଚିଛି । ଚଳିତ ବର୍ଷ ମା’ ହିଙ୍ଗୁଳା ମନ୍ଦିରର ପଶ୍ଚିମ ଦିଗରେ ପ୍ରାୟ ଏକ କିଲୋମିଟର ଦୂର ଗଜରାଜ ଷ୍ଟାଡିୟମ୍ର ପଶ୍ଚାତ୍ ଭାଗରେ ଆବିର୍ଭୂତ ହୋଇଛନ୍ତି। ଉଭାସ୍ଥଳୀ ଲୋକାରଣ୍ୟ ହୋଇଉଠିଛି। କରୋନା କଟକଣା ଯୋଗୁଁ ଦୁଇ ବର୍ଷ ଧରି ଶ୍ରଦ୍ଧାଳୁଙ୍କ ଆଗମନ ଉପରେ ରୋକ୍ ଲାଗିଥିବା ବେଳେ ଯାତ୍ରାର ଶୁଭଉଦ୍ଘାଟନୀ ଦିବସରେ ଲକ୍ଷାଧିକ
ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିବା ଆକଳନ କରାଯାଇଛି ।
ଶୁକ୍ରବାର ଭୋର୍ରୁ ମା’ଙ୍କ ପୀଠ ଗୋପାଳ ପ୍ରସାଦ ଅଭିମୁଖେ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଥିଲା । ଶୁକ୍ରବାର ସକାଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦ୍ଭାସ୍ଥଳୀ ଓ ମନ୍ଦିରକୁ ଯାଇ ମା’ଙ୍କ ପୂଜାର୍ଚ୍ଚନା କରିଥିଲେ। ଭକ୍ତ କିଭଳି ସୁବିଧାରେ ଦର୍ଶନ କରିପାରିବେ ସେଥ୍ପାଇଁ ପ୍ରଶାସନ, ପୁଲିସ ଓ ମନ୍ଦିର କମିଟି ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । ପରେ ସ୍ଥାନୀୟ ବିଧାୟକ ବ୍ରଜକିଶୋର ପ୍ରଧାନ ମଧ୍ୟ ମା’ଙ୍କ ପୂଜାର୍ଚ୍ଚନା କରିଥିଲେ। ଉଭାସ୍ଥଳୀରେ ପୁରୁଷ ଓ ମହୀଳା ଶ୍ରଦ୍ଧାଳୁଙ୍କ ନିମନ୍ତେ ସ୍ବତନ୍ତ୍ର ବାରିକେଡ଼ କରାଯାଇଥିଲା। ଶ୍ରଦ୍ଧାଳୁ ଅଗ୍ନିରୂପୀଙ୍କୁ ଭୋଗ, ନୈବେଦ୍ୟ ଅର୍ପଣ କରିଥିଲେ। ପୀଠରେ ମା’ଙ୍କ ମଙ୍ଗଳ ଆଳତୀ, ବାଳ ଭୋଗ ଆଦି ନୀତି ରୀତିନୀତି ଅନୁଯାୟୀ ସଂପନ୍ନ କରାଯାଇଥିଲା। ଅପରାହ୍ନରେ ମା’ଙ୍କ ଆଲମକୁ ଏକ ଭବ୍ୟ ଶୋଭାଯାତ୍ରାରେ ଦିଅଁ ଘରୁ ବଡ ମଣ୍ଡପକୁ ଅଣାଯାଇଥିଲା । ମୁଖ୍ୟ ପୂଜକ ହୃଦାନନ୍ଦ ଦେହୁରୀ,କିଶୋର ଦେହୁରୀ ଓ ଟଙ୍କଧର ଦେହୁରୀ ପ୍ରମୁଖ ପୂଜା କରିଥିଲେ ।

ଗତକାଲି ପ୍ରଥମ ଓ ଆଜି ଦ୍ଵିତୀୟ ଦିନରେ ପ୍ରଚଣ୍ଡ ରୌଦ୍ରତାପ ସତ୍ୱେ ମା’ଙ୍କ ଦର୍ଶନ ପାଇଁ ଉଭୟ ଉଭାସ୍ଥଳ ଏବଂ ପୀଠରେ ଶ୍ରଦ୍ଧାଳୁଙ୍କ ଲମ୍ବା ଧାଡ଼ିଦେଖିବାକୁ ମିଳିଥିଲା । ଭିଡ଼ ନିୟନ୍ତ୍ରଣ ତଥା ସୁରକ୍ଷା ଦୃଷ୍ଟିରୁ ଜିଲ୍ଲା ପୁଲିସ, ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ବିଭିନ୍ନ ଅନୁଷ୍ଠାନ ଓ ସଂଗଠନ ପକ୍ଷରୁ ଶ୍ରଦ୍ଧାଳୁଙ୍କୁ ଅନ୍ନପ୍ରସାଦ, ତରଭୁଜ, ସରବତ, ଥଣ୍ଡା ପାନୀୟ ଏବଂ ଅନ୍ନବସ୍ତ୍ର ଆଦି ବିତରଣ କରାଯାଇଥିଲା। ଅଂଶୁଘାତର ମୁକାବିଲା ନିମନ୍ତେ ଜଳ ସିଞ୍ଚନ ସହ ଆଶୁ ଚିକିତ୍ସା କେନ୍ଦ୍ର, ବିଶ୍ରାମଗୃହ ଖୋଲାଯାଇଛି। ମା’ଙ୍କ ଉଭାସ୍ଥଳୀରେ ହିଙ୍ଗୁଳା ସାଂସ୍କୃତିକ ମଞ୍ଚର ସ୍ଥାନୀୟ କଳାକାରମାନଙ୍କ ଦ୍ୱାରା ଭଜନ ପରିବେଷଣ କରାଯାଇଥିଲା। ଉଭୟ ମନ୍ଦିର ଓ ଉଦ୍ଭାସ୍ଥଳୀରେ ସିସିଟିଭି କ୍ୟାମେରା ଲଗାଯାଇ ଜିଲ୍ଲା ପୁଲିସ ପ୍ରଶାସନ ପକ୍ଷରୁ ୨୪ ଘଣ୍ଟିଆ ନିରୀକ୍ଷଣ କରାଯାଉଛି । ଦୁର୍ଘଟଣା ଏଡାଇବା ପାଇଁ କେତେକ ଛକ ଜାଗାରେ ୱାନ୍ ୱେ ଟ୍ରାଫିକ ବ୍ୟବସ୍ଥା କରାଯାଇଛି । ତାଳଚେର ଆଡୁ ଆସୁଥିବା ଯାତ୍ରୀଙ୍କ ପାଇଁ ମା’ କରଡେଇ ପୀଠ ନିକଟସ୍ଥ ପଡିଆରେ ଗାଡି ପାକିଂ ବ୍ୟବସ୍ଥା କରାଯାଇଛି । ଯାତ୍ରାର ସିଧା ପ୍ରସାରଣ ସ୍ଥାନୀୟ ତାଳଚେର ଟିଭି (ଟିଟିଭି)ରେ ମଧ୍ୟ କରାଯାଉଛି।

ମନ୍ଦିର ପରିସରରେ ଥିବା ପଡିଆରେ ପ୍ରାୟ ତିନି ଶହ ଷ୍ଟଲ ନିର୍ମାଣ କରାଯାଇଥିବା ବେଳେ ସେଥ୍ରେ ଭଳିକି ଭଳି ଖାଦ୍ୟ, ଫାଷ୍ଟ ଫୁଡ,ମନୋହରୀ ସାମଗ୍ରୀ, ଖେଳନା, ଘରକରଣା ସାମଗ୍ରୀ ତଥା କାଠ ତିଆରି ଘରୋଇ ଉପକରଣ ଆଦି ବିକ୍ରି ହେଉଛି। ଶୁକ୍ରବାର ସଂଧ୍ୟାରେ ୧୮ତମ ହିଙ୍ଗୁଳା ଲୋକମହୋତ୍ସବ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ଵାରା ଉଦ୍ଘାଟିତ ହୋଇଛି । ଆସନ୍ତା ୨୩ ତାରିଖରେ ମହୋତ୍ସବର ଉଦ୍ଯାପନୀ ତଥା ମା’ଙ୍କ ଶୀତୁଳା ପୂଜା ଅନୁଷ୍ଠିତ ହେବ। ପ୍ରତ୍ୟେକ ସନ୍ଧ୍ୟାରେ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ପ୍ରତିଭାବାନ କଳାକାର ଯୋଗ ଦେବାର କାର୍ୟ୍ୟକ୍ରମ ରହିଛି ବୋଲି ଟ୍ରଷ୍ଟ୍ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି । ସନ୍ଧ୍ୟାରେ ତାଳଚେର ରାଜା ରାଜେନ୍ଦ୍ର ଚନ୍ଦ୍ର ଦେବ ବୀରବର ହରିଚନ୍ଦନ ମା’ଙ୍କ ଉଭାସ୍ଥଳୀକୁ ଯାଇ ପୂଜାର୍ଚ୍ଚନା କରିଥିବା ଜଣାପଡ଼ିଛି।ମା’ ହିଙ୍ଗୁଳାଙ୍କ ପୀଠକୁ ସଂଯୋଗ କରୁଥିବା ରାସ୍ତାରେ ବିଭିନ୍ନ ସ୍ଵେଚ୍ଛାସେବୀ ସଂଗଠନ, ଦାତବ୍ୟ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷଙ୍କ ପକ୍ଷରୁ ଶ୍ରଦ୍ଧାଳୁଙ୍କ ନିମନ୍ତେ ଖାଦ୍ୟପାନୀୟର ବ୍ୟବସ୍ଥା ହୋଇଥିଲା। ଶ୍ରଦ୍ଧାଳୁମାନେ ମାଗଣା ଖାଦ୍ୟପାନୀୟ ବେଶ୍ ଖୁସି ପ୍ରକାଶ କରୁଥିଲେ।

ମା’ଙ୍କ ପୀଠକୁ ଦର୍ଶନ କରିବାକୁ ରାସ୍ତାରେ ଚାଲିଚାଲି ଯାଉଥିବା ଭକ୍ତମାନଙ୍କୁ ବହୁ ବ୍ୟକ୍ତିବିଶେଷ ମାଗଣାରେ ଗୋଟା ନଡ଼ିଆ ଦେଉଥିବା ଦେଖିବାକୁ ମିଳିଥିଲା। କେତେକ ସଂସ୍ଥା ଦରିଦ୍ର ଓ ଭିନ୍ନକ୍ଷମମାନଙ୍କୁ ବସ୍ତ୍ର ବଣ୍ଟନ କରି ସେବାକାର୍ଯ୍ୟରେ ସାମିଲ ହୋଇଥିଲେ । ଏପରିକି ରୌଦ୍ରତାପକୁ ଦୃଷ୍ଟିରେ ରଖ୍ ସିଞ୍ଚନ ଯନ୍ତ୍ର ମାଧ୍ୟମରେ ଭକ୍ତଙ୍କ ଉପରେ ଜଳ ସିଞ୍ଚନ କରାଯାଉଥିଲା। ଏଭଳି ଅନନ୍ୟ ସେବା ରାଜ୍ୟରେ ଅନ୍ୟ କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ ବୋଲି କୁହାଯାଉଛି।ମା’ ହିଙ୍ଗୁଳାଙ୍କ ଯାତ୍ରା ଅବସରରେ ମନ୍ଦିର ନିକଟସ୍ଥ ପଡ଼ିଆରେ ମା’ ହିଙ୍ଗୁଳାଙ୍କ ଆକର୍ଷଣୀୟ ବାଲୁକା ମୂର୍ତ୍ତି ନିର୍ମାଣ ହୋଇଥିଲା । ଯାହା ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା। ଶ୍ରଦ୍ଧାଳୁମାନେ ସେଠାରେ ଭିଡ଼ ଜମାଇ ସେଲ୍ଫି ନେଉଥିବା ଦେଖାଯାଇଥିଲା। ଶ୍ରଦ୍ଧାଳୁମାନେ କଳାକାରଙ୍କ ବାଲୁକା କାରୁକାର୍ଯ୍ୟକୁ ପ୍ରଶଂସା ମଧ୍ୟ କରିଥିଲେ।