ପୁରୀରେ ପ୍ରବଳ ବର୍ଷା ଯୋଗୁଁ ଜୀବନଯାତ୍ରା ବ୍ୟାହତ। ବଡ଼ଦାଣ୍ଡରେ ଲହଡ଼ି ମାରୁଛି ବର୍ଷାଜଳ। କେବଳ ବଡ଼ଦାଣ୍ଡରେ ନୁହେଁ ଭିଆଇପି ରୋଡର ଦମକଳ ଅଫିସ ସମ୍ମୁଖରେ ଆଣ୍ଠୁଏ ଉଚ୍ଚାର ପାଣି। ବେଳାଭୂମି ମାର୍ଗ ଓ ସହରର ବିଭିନ୍ନ ଗଳିକନ୍ଦିରେ ମଧ୍ୟ ବର୍ଷାଜଳ ଢେଉ ଖେଳୁଛି। ଶ୍ରୀମନ୍ଦିର ସିଂହଦ୍ଵାର ଗୁମୁଟରେ ପାଣି ଯୋଗୁଁ ଭକ୍ତ ଓ ଦର୍ଶନାର୍ଥି ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ପ୍ରବଳ ବର୍ଷା ସତ୍ତ୍ବେ ଭିଜି ଭିଜି ମହାପ୍ରଭୁଙ୍କୁ ଦର୍ଶନ କରି ସାନିଧ୍ୟ ଗ୍ରହଣ କରିଛନ୍ତି। ଦୀର୍ଘ ସମୟଧରି ବର୍ଷା ହେବା ଫଳରେ ଦର୍ଶନ ବ୍ୟବସ୍ଥା ବେଶ୍ ପ୍ରଭାବିତ ହୋଇଛି। ବର୍ଷା ଦାଉରୁ ରକ୍ଷା ପାଇବା ପାଇଁ କେଉଁଠି ଯାଗା ନାହିଁ। ଭକ୍ତ,ସେବକ, ପୁଲିସ ମାନେ ପ୍ରବଳ ବର୍ଷା ଯୋଗୁଁ ଅନେକ ସମସ୍ୟା ଭୋଗିଛନ୍ତି। ସହର ସମ୍ପୁର୍ଣ୍ଣ ଜଳାର୍ଣ୍ଣବ। ବଡ଼ଦାଣ୍ଡରେ ପ୍ରବଳ ବର୍ଷାଜଳ ଯୋଗୁଁ ଗାଡିମଟର ଚଳାଚଳ ମଧ୍ୟ ପ୍ରଭାବିତ ହୋଇଛି।