ଭୁବନଶ୍ୱେର-: ପୀଡ଼ିତାଙ୍କ ଜୀବନ ବଞ୍ଚାଇବାକୁ ଯାଇ ନିଜେ ନିଆଁରେ ପୋଡ଼ି ହୋଇ ଗୁରୁତର ହୋଇଥିଲେ ଜ୍ୟୋତି ପ୍ରକାଶ ବିଶ୍ୱାଳ । ଏସସିବି ବର୍ଣ୍ଣ ୟୁନିଟରେ ଏବେ ତାଙ୍କର ଚିକିତ୍ସା ଚାଲିଛି । ଆଜି ସିନା ସୌମ୍ୟାଶ୍ରୀ ନାହାନ୍ତି, ହେଲେ ତାଙ୍କୁ ବଞ୍ଚାଇବା ପାଇଁ ଶତ ଚେଷ୍ଟା କରିଥିବା ଯୁବକ ଜଣଙ୍କ ପୋଡାଜଳା ଯନ୍ତ୍ରଣା ସହ ଯୁଝି ହେଉଛନ୍ତି । ହେଲେ ତାଙ୍କୁ ଅଣଦେଖା କରାଯାଇଛି । ଯାହା ବିଭିନ୍ନ ଗଣମାଧ୍ୟମରେ ଆଜି ସକାଳୁ ପ୍ରକାଶ ପାଇବା ପରେ ଆହତ ଜ୍ୟୋତି ପ୍ରକାଶଙ୍କ ସହ କଥା ହୋଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ।
ମନ୍ତ୍ରୀ କହିଛନ୍ତି, ଫକିର ମୋହନ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଘଟିଥିବା ଅଘଟଣରେ ଛାତ୍ରୀଙ୍କୁ ଉଦ୍ଧାର କରିବା ସମୟରେ ଛାତ୍ର ଜ୍ୟୋତିପ୍ରକାଶ ବିଶ୍ୱାଳ ଆହତ ହୋଇ ଏସସିବି ମେଡିକାଲର ବର୍ଣ୍ଣ ୟୁନିଟରେ ଚିକିତ୍ସିତ ହେଉଛନ୍ତି। ତାଙ୍କ ମା’ଙ୍କ ସହିତ ଫୋନ ଯୋଗେ କଥା ହୋଇ ଜ୍ୟୋତିପ୍ରକାଶଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିବା ସହ ବ୍ୟସ୍ତ ନହେବା ପାଇଁ ସାନ୍ତ୍ୱନା ଦେଇଛି । ତାଙ୍କୁ ଉତ୍ତମ ଚିକିତ୍ସା ସୁବିଧା ଯୋଗାଇଦେବା ପାଇଁ ସରକାର ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରୁଛନ୍ତି । ଏଥିପ୍ରତି ବିଶେଷ ଧ୍ୟାନ ଦେବା ନିମନ୍ତେ ବର୍ଣ୍ଣ ୟୁନିଟର ଡାକ୍ତରୀ ଦଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ।
ଜ୍ୟୋତିପ୍ରକାଶଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଏବେ ସ୍ଥର ଅଛି । ତେବେ ବହୁତ ଜଲଦି ଜ୍ୟୋତିପ୍ରକାଶ ଭଲ ହେବେ । ୭ ରୁ ୧୦ ଦିନ ଭିତରେ ଜ୍ୟୋତିପ୍ରକାଶ ଭଲ ହୋଇ ପାରନ୍ତି ବୋଲି ଆଶା କରାଯାଉଛି । ବର୍ତ୍ତମାନ ସେ ନରମାଲ ଖାଦ୍ୟ ଖାଉଛନ୍ତି ଏବଂ ଠିକ୍ ଠାକ୍ କଥାବାର୍ତ୍ତା ମଧ୍ୟ କରିପାରୁଛନ୍ତି ବୋଲି ସୂଚନା ଦେଇଛନ୍ତି ଡକ୍ଟର ବିଭୂତି ନାୟକଙ୍କ ।