ଭୁବନେଶ୍ବର-: ପୁଣି ରାଜଧାନୀରେ ଅଧରାତିରେ ଫୁଟିଲା ଗୁଳି । ଇନ୍ଫୋଭ୍ୟାଲି ଥାନା ପିତାପଲ୍ଲୀ ଅଞ୍ଚଳରେ ଏହି ଗୁଳିକାଣ୍ଡ ହୋଇଛି । ଖୋର୍ଦ୍ଧା ଓ ନୂଆପଲ୍ଲୀ ଅଞ୍ଚଳର ୨ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟି ଗୁଳି ଫୁଟିଛି । ଜଣେ ଦୁର୍ବୃତ୍ତ ୪ ରାଉଣ୍ଡ ଗୁଳିମାଡ଼ କରିଥିଲେ ହେଁ ଏଥିରେ କାହାର କିଛି କ୍ଷତି ହୋଇନଥିବା ଜଣାପଡିଛି । ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଜାରି ରଖିଛି । ତେବେ ଘଟଣା ପଛରେ ପୂର୍ବ ଶତ୍ରୁତା ଥିବା ନେଇ ପୋଲିସ ସନ୍ଦେହ କରୁଥିବା ବେଳେ ଗୁଳିମାଡ଼ରୁ ବର୍ତ୍ତିଯାଇଥିବା ଯୁବକ ଖୋର୍ଦ୍ଧାର ଚିନ୍ମୟ ବଡ଼ଜେନା ଏବଂ ଗୁଳିମାଡ଼ କରିଥିବା ଯୁବକ। ନୂଆପଲ୍ଲୀ ଅଞ୍ଚଳର କୁଖ୍ୟାତ ଅପରାଧୀ ରାଜେଶ ଦାସ ବୋଲି ସୂଚନା ମିଳିଛି ।
ଅଭିଯୋଗ ମୁତାବକ ଖୋର୍ଦ୍ଧା ସାମନ୍ତରାପୁରରେ ଚିନ୍ମୟଙ୍କ ଦ୍ୱାରା ପରିଚାଳିତ ଏକ ନିଶା ନିବାରଣ କେନ୍ଦ୍ର ରହିଛି । ସେଠାରେ ଜଣେ ଅନ୍ତେବାସୀଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିଯିବାରୁ ଚିନ୍ମୟ ତାଙ୍କୁ ଏକ ସ୍କର୍ପିଓରେ ନେଇ ଭୁବନେଶ୍ବର ଅଭିମୁଖେ ଯାଉଥିଲେ । ଏହି ସମୟରେ ଅନ୍ୟ ଏକ ସ୍କର୍ପିଓରେ ନୂଆପଲ୍ଲୀ ଅଞ୍ଚଳର ରାଜେଶ ଖୋର୍ଦ୍ଧାରୁ ଭୁବନେଶ୍ବର ଫେରୁଥିଲେ । ଆଉ ସେହି ସମୟରେ ଚିନ୍ମୟଙ୍କ ଗାଡ଼ି ରାଜେଶ ଗାଡ଼ିକୁ ଓଭର୍ଟେକ୍ କରିଥିଲା । ଏଥିରେ ରାଜେଶ ରାଗିଯାଇ ଚିନ୍ମୟଙ୍କ ଗାଡ଼ିକୁ ଅତିକ୍ରମ କରି ପିତାପଲ୍ଲୀ-କୁମାରବସ୍ତ ଛକ ପେଟ୍ରୋଲ୍ ପମ୍ପ ନିକଟରେ ଚିନ୍ମୟଙ୍କ ଗାଡ଼ି ଆଗରେ ଗାଡି ଅଟକାଇଥିଲା । ରାଜେଶ ଗାଡ଼ି ଅଟକିବାରୁ ଚିନ୍ମୟ ମଧ୍ୟ ତାଙ୍କ ଗାଡ଼ିକୁ ଅଟକାଇଥିଲେ । ଏହାପରେ ସେମାନଙ୍କ ମଧ୍ୟରେ ବଚସା ହୋଇଥିଲା । କଥା କଟାକଟି ବଢ଼ିଥିଲା ଏବଂ ପରିସ୍ଥିତି ଭୟଙ୍କର ହୋଇ ପଡ଼ିଲା । ଏତିକିବେଳେ ରାଜେଶ ଗାଡ଼ିରୁ ବନ୍ଧୁକ ବାହାର କରି ଚିନ୍ମୟଙ୍କୁ ଲକ୍ଷ୍ୟ କରି ୪ ରାଉଣ୍ଡ ଗୁଳିମାଡ଼ କରିଥିଲା । ମାତ୍ର ଅନ୍ଧାର ଯୋଗୁ ସମସ୍ତ ଗୁଳି ଲକ୍ଷ୍ୟଭ୍ରଷ୍ଟ ହୋଇଥିଲା । ଭୟରେ ଚିନ୍ମୟ ଓ ତାଙ୍କ ସାଙ୍ଗରେ ଥିବା ଯୁବକମାନେ ପଛକୁ ଦୌଡ଼ିଥିଲେ । ଏହି ମଉକାରେ ରାଜେଶ ତା ଗାଡ଼ି ଧରି ଦ୍ରୁତବେଗରେ ଭୁବନେଶ୍ବର ଦିଗରେ ପଳାଇଥିଲା । ହଠାତ୍ ଗୁଳିମାଡ଼ ଶବ୍ଦ ଶୁଣି ସ୍ଥାନୀୟ ଲୋକଙ୍କ ଭିତରେ ଭୟ ଖେଳିଯାଇଥିଲା ।