ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା । ରାଜ୍ୟରେ ନିଯୁକ୍ତ ହେବେ ୧୮୪୦ ଡାକ୍ତର, ୫ ହଜାରରୁ ଊର୍ଦ୍ଧ୍ବ ପାରାମେଡିକାଲ୍ ଷ୍ଟାଫ୍ । ସ୍ବାସ୍ଥ୍ୟ ବିଭାଗର ସମୀକ୍ଷା ପରେ ଏନେଇ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ମେଡିକାଲ୍ କଲେଜର ପ୍ରଫେସର ପଦବୀ ମଧ୍ୟ ପୂରଣ ପାଇଁ ରହିଛି ନିର୍ଦ୍ଦେଶ । ଆଦିବାସୀ ଅଧୁଷିତ ଅଞ୍ଚଳରେ ଅଧିକ ଡାକ୍ତର ନିଯୁକ୍ତି ଉପରେ ବୈଠକରେ ଗୁରୁତ୍ବାରୋପ କରାଯାଇଛି । ତେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନ ଠାରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ରାଜ୍ୟର ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥା ବିଷୟରେ ଆଲୋଚନା କରି ରାଜ୍ୟରେ ଖାଲି ପଡିଥିବା ବିଭିନ୍ନ ଡାକ୍ତର ପଦବୀ ଓ ପ୍ରଫେସର ପଦବୀ ପୂରଣ ଉପରେ ଗୁରୁତ୍ୱାରୋପ କରିଥିଲେ। ବିଭିନ୍ନ ମେଡିକାଲ କଲେଜରେ ଖାଲି ପଡିଥିବା ଆସିଷ୍ଟାଣ୍ଟ ପ୍ରଫେସର, ଆଷୋସିଏଟ ପ୍ରଫେସର ଏବଂ ପ୍ରଫେସର ପଦବୀ ଖୁବ ଶୀଘ୍ର ରାଜ୍ୟ ସରକାର ପୂରଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ବିଭିନ୍ନ ମେଡିକାଲ କଲେଜରେ ପି.ଜି. ସିଟ ସଂଖ୍ୟା ବୃଦ୍ଧି, ମେଡିକାଲ କଲେଜର ଭିତ୍ତିଭୂମି ବିକାଶ, ସ୍ୱାସ୍ଥ୍ୟ ସେବା ଛଡା ଅନ୍ୟାନ୍ୟ ଆବଶ୍ୟକୀୟ ପଦବୀ ପୂରଣ ଓ ଟେକ୍ନିକାଲ ଷ୍ଟାଫଙ୍କ ନିଯୁକ୍ତି ସମ୍ବନ୍ଧରେ ମୁଖ୍ୟମନ୍ତ୍ରୀ ଉକ୍ତ ବୈଠକରେ ଆଲୋଚନା କରି ଏଥି ନିମନ୍ତେ ବିଭାଗୀୟ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହା ସହ ଦୁର୍ଘଟଣା ପ୍ରବଣ ଅଞ୍ଚଳରେ ଇଣ୍ଟିଗ୍ରେଟେଡ ଟ୍ରମା କେୟାର ସେଣ୍ଟର ସ୍ଥାପନ, ଦୁର୍ଗମ ଅଞ୍ଚଳରେ ଡାକ୍ତରଙ୍କ ପାଇଁ ପ୍ରୋତ୍ସାହନ ରାଶି ବୃଦ୍ଧି ଏବଂ ଆୟୁଷ ଡାକ୍ତରଙ୍କ ସମସ୍ୟା ସମାଧାନ ପାଇଁ ଆଲୋଚନା ହୋଇଛି।