ବିଧବା ମହିଳାଙ୍କୁ ମିଳୁନି ସରକାରୀ ଯୋଜନା

(ଜ୍ୟୋତି ରଂଜନ ଧର)କଣିହାଁ : ସରକାରୀ ସ୍ତରରେ ଅସହାୟ ବିଧବା ମହିଳାଙ୍କ ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ ହେଉଛି । କିନ୍ତୁ ସରକାରୀ ବାବୁ ଓ ଜନପ୍ରତିନିଧି ମାନଙ୍କର ଅପାରଗତା ଯୋଗୁଁ ଯୋଗ୍ୟ ହିତାଧିକାରୀଙ୍କ ପାଖରେ ସରକାରୀ ଯୋଜନା ପହଞ୍ଚିପାରୁନାହିଁ । ଅନୁଗୋଳ ଜିଲ୍ଲାରେ ଜଣେ ବିଧବା ମହିଳା ଦୀର୍ଘ ୨ବର୍ଷ ହେଲାଣି ସରକାରୀ ଯୋଜନାରୁ ବାଦ୍ ପଡିଛନ୍ତି । ବାରମ୍ବାର ମହିଳା ଜଣକ ପଂଚାୟତ, ବ୍ଲକ କାର୍ଯ୍ୟାଳୟ ଦୈଡି ଦୈଡି ନିରାଶ ହୋଇଛନ୍ତି । ମହିଳା ଜଣକ ହେଲେ କଣିହାଁ ବ୍ଲକ ଗଣ୍ଡମେଳା ଗ୍ରାମର ସୁମିତ୍ରା ପାତ୍ର(୩୮) । ଗତ ୨ବର୍ଷ ହେଲାଣି ସ୍ୱାମୀ ସନ୍ତୋଷ କୁମାର ପାତ୍ରଙ୍କ ଅଜଣା ରୋଗରେ ଅକାଳ ବିୟୋଗ ଘଟିଲା । ସ୍ୱାମୀଙ୍କ ବିୟୋଗ ପରେ ମହିଳାଙ୍କୁ ସରକାରୀ ସହାୟତା ମିଳିଲା ନାହିଁ । ସେହିଦିନ ଠାରୁ ବିଧବା ଭତ୍ତା ପାଇଁ ନିର୍ଦ୍ଧାରିତ ଫର୍ମରେ ଆବେଦନ କରିଥିଲେ ମଧ୍ୟ କେହି ମହିଳାଙ୍କ ପ୍ରତି ସଦୟ ହେଉନାହାଁନ୍ତି । ପରିବାର କହିଲେ ୩ଝିଅ ଦିପ୍ତିମୟୀ(୧୮), ପୁଜାରାଣି(୧୪), ବର୍ଷା(୧୦) ସହିତ ସୁମିତ୍ରା । ପରିବାର ସମସ୍ତ ଦାୟିତ୍ୱ ତାଙ୍କ ଉପରେ ନିର୍ଭର କରେ । ମୁଲମଜୁରୀ କରି ସେ ୩ଝିଅଙ୍କୁ ସମାଜର ମୂଖ୍ୟସ୍ରୋତରେ ସାମିଲ କରିବା ପାଇଁ ଚାହାଁନ୍ତି । କିନ୍ତୁ ଯଦି ସରକାରୀ ସହାୟତା ମିଳନ୍ତା ତେବେ ତାହା ସମ୍ଭବ ହୋଇପାରନ୍ତା ବୋଲି ସୁମିତ୍ରା କୁହନ୍ତି । ଖାଲି ସେତିକି ନୁହେଁ ବିପିଏଲ ପରିବାର ଅର୍ନ୍ତଭୁକ୍ତ ଏହି ପରିବାର ପାଇଁ ସରକାରୀ ଯୋଜନା ସଂପୂର୍ଣ୍ଣ ବାଟବଣା ହୋଇଯାଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ । ସ୍ୱାମୀ ଥିବା ସମୟରେ ପକ୍କା ଘର ବିମ୍ ପତନ ହୋଇ ପଡି ରହିଛି । ତାକୁ ସଂପୂର୍ଣ୍ଣ କରିବା ପାଇଁ ଅସମର୍ଥ । ପ୍ରତିମା ନିଜେ ମୁଲ ମଜୁରୀ କରି ବଡଝିଅ କୁ ପାଖରେ ରଖି ପାଠପଢାଉଥିବା ବେଳେ ସାନ ଝିଅକୁ ନିଜ ଅପା ଘର ଖମାର ଅଂଚଳକୁ ଛାଡି ଦେଇଛନ୍ତି । ୨ନମ୍ବର ଝିଅକୁ ଗଣ୍ଡମେଳା ଦିଅର ଘରେ ପଢାପଢି କରୁଥିବା ଜଣାଯାଇଛି । ରହିବା ପାଇଁ ଗ୍ରାମରେ ଥିବା ଚାଳ ଘର ଭାଙ୍ଗି ଯାଇଛି । ଘର ଖଣ୍ଢିଏ ମିଳିବା ପାଇଁ ସରକାରୀ ବାବୁ ମାନଙ୍କର କେବେ କୃପା ହେବ ତାହା କୁ ଅନେଇ ବସିଛନ୍ତି ପ୍ରତିମା ବୋଲି ପ୍ରକାଶ କରିଛନ୍ତି ।