କଣ ଆପଣଙ୍କ ଫୋନରେ ବି ଚାଲୁନି ୟୁଟ୍ୟୁବ୍, କରନ୍ତୁ ଏହି କାମ

ନୂଆଦିଲ୍ଲୀ: କଣ ଆପଣ ବି ଆପଣଙ୍କ ଆଇଫୋନରେ ୟୁଟ୍ୟୁବ ଚଲାଇ ପାରୁନାହାଁନ୍ତି କି ? ଯଦି ହଁ ତେବେ ଚିନ୍ତା କରନ୍ତୁ ନାହିଁ । କାରଣ କେବଳ ଆପଣ ନୁହେଁ ଅନେକ ଆଇଫୋନ ଉପଭୋକ୍ତା ମଧ୍ୟ ଏହି ସମସ୍ୟାର ସମ୍ମୁଖିନ ହେଉଛନ୍ତି । ୟୁଟ୍ୟୁବ ଖୋଲିବା ମାତ୍ରେ ହିଁ ଆପ୍ ବାରମ୍ବାର ବନ୍ଦ ହୋଇଯାଉଛି । ତେବେ ଏହାରି ଭିତରେ ଏକ ଆଶ୍ଵସ୍ତିକର ଖବର ଆସିଛି ଯେ ଗୁଗୁଲ୍ ଏହି ସମସ୍ୟାକୁ ସ୍ଵୀକାର କରିବା ସହ ଏହାର ସମାଧାନ ମଧ୍ୟ ବାହାର କରିଛି । ଗୁଗଲ୍‌ ଆଇଫୋନ୍‌ ବ୍ୟବହାରକାରୀଙ୍କୁ YouTube ଆପ୍‌କୁ ଅନଇନଷ୍ଟଲ୍‌ କରି ପୁନର୍ବାର ଇନଷ୍ଟଲ୍‌ କରିବାକୁ ପରାମର୍ଶ ଦେଇଛି, କାରଣ ଏହି ଆପ୍‌ରେ ଏକ ଗୁରୁତର ତ୍ରୁଟି ଦେଖାଦେଇଥିଲା, ଯାହା ଆପ୍‌ଟିକୁ ଖୋଲିବା ମାତ୍ରେ କ୍ରାସ୍‌ କରୁଥିଲା କିମ୍ବା ବିନା କୌଣସି ସୂଚନା ଦେଇ ଅଚଳ ହୋଇ ପଡ଼ୁଥିଲା।

ଗୁଗଲ୍‌ ଏହି ସମସ୍ୟାର ସମାଧାନ କରିବା ସହ ଆଇଫୋନ୍‌ ବ୍ୟବହାରକାରୀଙ୍କୁ ଆପ୍‌ଟିକୁ ଡିଲିଟ୍‌ କରି ଆପ୍‌ ଷ୍ଟୋର୍‌ରୁ ସର୍ବଶେଷ ସଂସ୍କରଣ (ଭର୍ସନ୍‌ ୨୦.୨୦.୪) ଡାଉନଲୋଡ୍‌ କରିବାକୁ କହିଛି। ଏହା ଆପ୍‌ରେ ରହିଥିବା ଅବଶିଷ୍ଟ ତ୍ରୁଟିଗୁଡ଼ିକୁ ଦୂର କରିବ ବୋଲି ଗୁଗଲ୍‌ କହିଛି । ଗତ ଜୁନ୍ ୧୭ରୁ କିଛି ବ୍ୟବହାରକାରୀମାନେ YouTube ଆପ୍‌ରେ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଆପ୍‌ ଖୋଲିବା ମାତ୍ରେ ଏହା ବନ୍ଦ ହୋଇଯାଉଥିଲା । ଏନେଇ ଅନେକ ଅଭିଯୋଗ ପ୍ରକାଶ ପାଇଥିଲା। ଏବେ ଗୁଗଲ୍‌ ଏହାର ସମାଧାନ ପାଇଁ ସ୍ଥାୟୀ ଭାବେ ଏକ ନୂଆ ଅପଡେଟ୍‌ ଜାରି କରି ଆଇଫୋନ୍‌ ବ୍ୟବହାରକାରୀଙ୍କୁ ଏହି ଅପଡେଟ୍‌ ଇନଷ୍ଟଲ୍‌ କରିବାକୁ କହିଛି ।

ଗୁଗଲ୍‌ କହିଛି ଯେ, ଯଦି ଆପଣ ଆଇଓଏସ୍‌ ଡିଭାଇସ୍‌ ବ୍ୟବହାର କରୁଛନ୍ତି, ଦୟାକରି ଆପ୍‌ଟିକୁ ପୁନର୍ବାର ଇନଷ୍ଟଲ୍‌ କରନ୍ତୁ। ଗୁଗଲ୍‌ ସ୍ପଷ୍ଟ କରିଛି ଯେ ଏହି ତ୍ରୁଟି ଆଡ୍‌ ବ୍ଲକର୍‌ ସହ ସମ୍ପର୍କିତ ନୁହେଁ। ଏହା ଆପ୍‌ରେ ଏକ ସାମାନ୍ୟ ସଫ୍ଟୱେର୍‌ ଗ୍ଲିଚ୍‌ ଥିଲା, ଯାହାକୁ ସମାଧାନ କରାଯାଇଛି।