ଭୁବନେଶ୍ଵର: AIIMSରେ ଚିକିତ୍ସିତ ହେଉଛନ୍ତି ଆତ୍ମହୁତି ଉଦ୍ୟମ କରିଥିବା ଫକୀର ମୋହନ କଲେଜର ଛାତ୍ରୀ । ସଙ୍କଟାପନ୍ନ ଅବସ୍ଥାରେ ବର୍ଣ୍ଣ ୟୁନିଟ୍ରେ ଚାଲିଛି ଚିକିତ୍ସା । ୧୨ ଜଣିଆ ଡାକ୍ତରୀ ଦଳ ଚିକିତ୍ସା ପାଇଁ ନିୟୋଜିତ ହୋଇଛନ୍ତି । ତେବେ ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରିବା ପାଇଁ ପ୍ରସ୍ତୁତି ହେଉଥିବା ନେଇ ଜଣାପଡିଛି । ଅନ୍ୟପଟେ ଛାତ୍ରୀଙ୍କୁ ନିର୍ଯାତନା ଘଟଣାରେ କଲେଜର ଏଜୁକେସନ୍ ବିଭାଗ ଏଚଓଡି ସମୀର ସାହୁଙ୍କୁ ସସପେଣ୍ଡ ସହ ଗିରଫ କରାଯାଇଛି । ସେହିପରି କଲେଜ ପ୍ରିନ୍ସିପାଲ ଦିଲ୍ଲୀପ ଘୋଷଙ୍କୁ ନିଲମ୍ବିତ କରାଯାଇଛି । ଉଚ୍ଚଶିକ୍ଷା ନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ଜଣେ ମହିଳା ଯୁଗ୍ମ ସଚିବ ଓ ଜଣେ ମହିଳା ଶିକ୍ଷାବିତଙ୍କୁ ନେଇ ଏକ କମିଟି ଗଠନ କରାଯାଇ ପୁଙ୍ଖାନୁପୁଙ୍ଖ ତଦନ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଅନ୍ୟପଟେ ଘଟଣାରେ ପୀଡିତାଙ୍କ ବାପା ବିସ୍ଫୋରକ ବୟାନ ରଖିଛନ୍ତି । ପ୍ରିନ୍ସିପାଲ ଓ HODଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଛାତ୍ରୀଙ୍କ ବାପା । ଅଭିଯୋଗ ଉଠାଇବାକୁ ଝିଅକୁ ବାଧ୍ୟ କରିଥିଲେ ପ୍ରିନ୍ସିପାଲ । ଏପରିକି କଲେଜରୁ ବହିଷ୍କାର କରି ଦେବାକୁ ଧମକ ଦିଆଯାଇଥିଲା । ନ୍ୟାୟ ନ ମିଳିବାରୁ ଝିଅ ଆତ୍ମାହୁତି ଉଦ୍ୟମ କରିଥିବା ଛାତ୍ରୀ ବାପା କହିଛନ୍ତି । ଅଭିଯୁକ୍ତଙ୍କୁ ସରକାର ଏଭଳି ଦଣ୍ଡ ଦିଅନ୍ତୁ, ଯେଭଳି ଘଟଣାର ପୁନରାବୃତ୍ତି ନ ହେଉ ବୋଲି ସେ କହିଛନ୍ତି ।
ସୂଚନା ଅନୁସାରେ, ଗତକାଲି ଅଚାନକ ଏଫ୍ଏମ୍ କଲେଜ ସମ୍ମୁଖରେ ଦେକିବାକୁ ମିଳିଥିଲା ଅଭାବନୀୟ ଘଟଣା । ଫକୀରମୋହନ ସ୍ଵୟଂ ଶାସିତ ମହାବିଦ୍ୟାଳୟର ବିଇଡି ୨ୟ ବର୍ଷର ଜଣେ ଛାତ୍ରୀ ସେଠାକାର ଅଧ୍ୟାପକ ସମୀର କୁମାର ସାହୁଙ୍କ ବିରୋଧରେ ଦୁର୍ବ୍ୟବହାର ଅଭିଯୋଗ ଆଣିଥିଲେ। ଅଧ୍ୟାପକ ତାଙ୍କୁ ମାନସିକ ତଥା ଶାରୀରିକ ନିର୍ଯାତନା ଦେଉଥିବା କହିଥିଲେ। ଏମିତିକି ତାଙ୍କ କଥାରେ ରାଜି ନ ହେଲେ ବ୍ୟାକ୍ ଲଗାଇ ଦେବାକୁ ମଧ୍ୟ ଧମକ ଦେଇ ଅସଦାଚରଣ କରିଥିଲେ। ଏହି ଘଟଣାରେ ନ୍ୟାୟ ନ ମିଳିଲେ ବାଧ୍ୟ ହୋଇ ଆତ୍ମହତ୍ୟା କରିବେ ବୋଲି ଚେତାବନୀ ଦେଇଥିଲେ। ଏହି ଘଟଣାକୁ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ବିଭିନ୍ନ ଛାତ୍ର ସଙ୍ଗଠନ ବିରୋଧ କରିବା ସହ ଅଭିଯୋଗ ଆସିଥିବା ଅଧ୍ୟାପକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ। ହେଲେ କୌଣସି କାର୍ଯ୍ୟାନୁଷ୍ଠାନ ନ ହେବାରୁ ଛାତ୍ରୀ ଜଣକ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ।