ମାଞ୍ଚେଷ୍ଟର ଟେଷ୍ଟରେ ୧୯ବର୍ଷର ଇତିହାସ ରଚିପାରନ୍ତି ଗିଲ୍

ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଭାରତୀୟ ଟେଷ୍ଟ ଟିମ୍‌ ରେ କ୍ୟାପଟେନ ଶୁଭମନ ଗିଲ ଖୁବ୍ ପରିଶ୍ରମ କରିଛନ୍ତି । ଏଥିରେ ସେ ଶତକ ମଧ୍ୟ ହାସଲ କରିଥିଲେ । ଏହି ଦୁଇ ଟିମ୍ ମଧ୍ୟରେ ଚତୁର୍ଥ ଟେଷ୍ଟ ମାଞ୍ଚେଷ୍ଟରର ଓଲ୍ଡ ଟ୍ରାଫୋର୍ଡ ଷ୍ଟାଡିୟମ୍ରେ ଅନୁଷ୍ଠିତ ହେବ । ଶୁଭମନ ଗିଲ ଏହି ଟେଷ୍ଟ ମ୍ୟାଚ୍ ରେ ୧୯ବର୍ଷର ପୁରୁଣା ରେକର୍ଡ ଭାଙ୍ଗିପାରନ୍ତି । ୧୯ ବର୍ଷ ପୂର୍ବେ ପାକିସ୍ତାନର ମହମ୍ମଦ ୟୁସୁକ ଏହି ରେକର୍ଡ କରିଥିଲେ । ଏହି ରେକର୍ଡ ଭାଙ୍ଗିବା ପାଇଁ ଶୁଭମନ୍ ଙ୍କୁ ୨୫ ରନ୍ର ଆବଶ୍ୟକତା ରହିଛି ।


ସୂଚନା ଯୋଗ୍ୟ ଯେ, ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଶୁଭମନ ଗିଲ୍ ଏଯାବତ୍ ତିନୋଟି ମ୍ୟାଚ୍‌ରେ ୧୦୧.୧୭ ହାରରେ ୬୦୭ ରନ୍ କରିଛନ୍ତି । ଗିଲ୍ ଗୋଟିଏ ଦ୍ୱିଶତକ ଏବଂ ଦୁଇଟି ଶତକ ମାରିଛନ୍ତି । ଖାଲି ସେତିକି ନୁହେଁ, ସେ ଏହି ସିରିଜ୍‌ରେ ସର୍ବାଧିକ ରନ୍ ସ୍କୋର ହାସଲ କରିଛନ୍ତି ।


କେବଳ ତିନି ଜଣ ଏସୀୟ ଖେଳାଳି ଅଛନ୍ତି ଯେଉଁମାନେ ଇଂଲଣ୍ଡରେ ଟେଷ୍ଟ ସିରିଜ୍‌ରେ ୬୦୦ ରୁ ଅଧିକ ରନ୍ କରିଛନ୍ତି । ରାହୁଲ ଦ୍ରାବିଡ୍ ଏହି ତାଲିକାରେ ତୃତୀୟ ସ୍ଥାନରେ ଅଛନ୍ତି । ଯିଏ ୨୦୦୨ ମସିହାରେ ୪ ମ୍ୟାଚ୍‌ରେ ୬୦୨ ରନ୍ କରିଥିଲେ । ଶୁଭମନ ତାଙ୍କୁ ପଛରେ ପକାଇ ତାଲିକାରେ ଦ୍ୱିତୀୟ ସ୍ଥାନରେ ପହଞ୍ଚିଛନ୍ତି । ଏହି ତାଲିକାର ଶୀର୍ଷରେ ଅଛନ୍ତି ପାକିସ୍ତାନର ମହମ୍ମଦ ୟୁସୁଫ୍, ଯିଏ ୨୦୦୬ ମସିହାରେ ୪ ମ୍ୟାଚ୍‌ରେ ୯୦.୧୪ ହାରରେ ୬୩୧ ରନ୍ କରିଥିଲେ । ତାଙ୍କର ସର୍ବୋତ୍ତମ ସ୍କୋର ୨୦୨ ରନ୍ ଥିଲା । ଯଦି ଗିଲ୍ ମାଞ୍ଚେଷ୍ଟର ଟେଷ୍ଟରେ ଆଉ ୨୫ ରନ୍ କରନ୍ତି, ତେବେ ସେ ମହମ୍ମଦ ୟୁସୁଫ୍‌ଙ୍କ ରେକର୍ଡ ଭାଙ୍ଗିବେ । ଏହି ରେକର୍ଡ ଭାଙ୍ଗିବା ପରେ, ଶୁଭମନ ଗିଲ ଇଂଲଣ୍ଡରେ ସର୍ବାଧିକ ରନ କରିଥିବା ଏସୀୟ ବ୍ୟାଟର ହେବେ। ଟିମ୍ ଇଣ୍ଡିଆ ପାଇଁ ମାଞ୍ଚେଷ୍ଟର ଟେଷ୍ଟ ଜିତିବା ଗୁରୁତ୍ୱପୂର୍ଣ୍ଣ ଏବଂ ଗିଲ୍ ଏହି ମ୍ୟାଚ୍‌ରେ ଏକ ବଡ଼ ସ୍କୋର ଉପରେ ନଜର ରଖିବେ।