ନୂଆଦିଲ୍ଲୀ-: କୁଏତ୍ରେ ଅସୁସ୍ଥ ହୋଇପଡ଼ିଲେ ଗୁଲାମ ନବୀ ଆଜାଦ । ସର୍ବଦଳୀୟ ଟିମ୍ ଗସ୍ତ ବେଳେ କୁଏତରେ ଗୁଲାମ ନବୀ ଆଜାଦ ଅସୁସ୍ଥ ହୋଇପଡ଼ିଛନ୍ତି । ଅସୁସ୍ଥ ହେବାରୁ ତାଙ୍କୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ସୂଚନା ମିଳିଛି ।
ସୂଚନାଯୋଗ୍ୟ ଯେ, କୁଏତ ଗସ୍ତରେ ଥିବା ସର୍ବଦଳୀୟ ପ୍ରତିନିଧିମଣ୍ଡଳର ଅଂଶ ହେଉଛନ୍ତି ଗୁଲାମ ନବୀ ଆଜାଦ, ଯାହାର ନେତୃତ୍ୱ ବିଜେପି ସାଂସଦ ବୈଜୟନ୍ତ ପଣ୍ଡା ନେଉଛନ୍ତି । ବୈଜୟନ୍ତ ପଣ୍ଡା ଇନଷ୍ଟାଗ୍ରାମରେ ଫଟୋ ସେୟାର କରି ଲେଖିଛନ୍ତି ଯେ ଆଜାଦଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଅଛି । ଆମର ପ୍ରତିନିଧିମଣ୍ଡଳର ଗସ୍ତ ମଧ୍ୟରେ ଗୁଲାମ ନବୀ ଆଜାଦଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡିଲା । ସେ ଡାକ୍ତରୀ ତଦାରଖରେ ଅଛନ୍ତି ଏବଂ ତାଙ୍କର କିଛି ପରୀକ୍ଷା କରାଯିବ । ବାହାରିନ ଏବଂ କୁଏତରେ ଅନୁଷ୍ଠିତ ବୈଠକରେ ତାଙ୍କର ଅବଦାନ ବହୁତ ପ୍ରଭାବଶାଳୀ ଥିଲା ଏବଂ ସେ ଅସୁସ୍ଥ ହୋଇଯାଇଥିବାରୁ ଆମେ ନିରାଶ । ଆମେ ସାଉଦି ଆରବ ଏବଂ ଆଲଜେରିଆରେ ତାଙ୍କର ଉପସ୍ଥିତିକୁ ମିସ୍ କରିବୁ । ଅସୁସ୍ଥ ଥିବା ସତ୍ତ୍ବେ ଦୁଇ ଦେଶର ବ୍ୟସ୍ତ କାର୍ଯ୍ୟକ୍ରମରେ ସେ ଯୋଗଦେଇ ଭାରତ ପାଇଁ କହିବା ତାଙ୍କ ସମର୍ପଣକୁ ଦର୍ଶାଉଛି, ଏହା ଅତ୍ୟନ୍ତ ପ୍ରଶଂସନୀୟ । ତାଙ୍କର ଶୀଘ୍ର ଆରୋଗ୍ୟ ପାଇଁ ଆମେମାନେ କାମନା କରୁଛୁ ।