ଗୌହାଟୀ: ନିରାଶ କଲା ଭାରତ। ନିଜ ମାଟିରେ ହାରିଗଲା ଟିମ୍ ଇଣ୍ଡିଆ। ଗୌହାଟୀରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ରେ ଚମତ୍କାର ପ୍ରଦର୍ଶନ କରି ଭାରତକୁ ୪୦୮ରନ୍ରେ ପରାସ୍ତ କଲା ଦକ୍ଷିଣ ଆଫ୍ରିକା। ଦକ୍ଷିଣ ଆଫ୍ରିକା ଭାରତ ବିପକ୍ଷ ଦୁଇଟି ଟେଷ୍ଟ ମ୍ୟାଚ୍ର ଜିତିଥିବା ବେଳେ ଭାରତ କୌଣସି ବି ମ୍ୟାଚରେ ଜିତିପାରିନାହିଁ। ଏହା ଭାରତର ସବୁଠାରୁ ବଡ଼ ଟେଷ୍ଟ ପରାଜୟ।

୨୫ ବର୍ଷ ପରେ ଘରୋଇ ସିରିଜରେ ପ୍ରଥମ ସିରିଜ ପରାଜୟ ହୋଇଥିଲା । ଗତବର୍ଷ ନ୍ୟୁଜିଲାଣ୍ଡ ବିପକ୍ଷରେ ୦-୩ ପରାଜୟ ପରେ ଏହା ଭାରତର ଦ୍ୱିତୀୟ ଘରୋଇ ସିରିଜ୍ ପରାଜୟ ଥିଲା । ତେବେ ଏହି ପରାଜୟ ପରେ କୋଚ୍ଙ୍କ ଭୂମିକା ନେଇ ଉଠିଛି ପ୍ରଶ୍ନବାଚୀ । ମୁଖ୍ୟ ପ୍ରଶିକ୍ଷକ ଭାବରେ ଗୌତମ ଗମ୍ଭୀରଙ୍କ ଦକ୍ଷତା ନେଇ ଅନେକ ସମାଲୋଚନା ।ବୁଧବାର (୨୬ ନଭେମ୍ବର) ଦିନ ଆଫ୍ରିକା ଦଳ ବିପକ୍ଷରେ ପରାଜୟ ପରେ ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଅତ୍ୟନ୍ତ ନିରାଶ ଦେଖାଯାଉଥିଲେ ।ସେ କହିଥିଲେ ଯେ ଆଫ୍ରିକା ବିପକ୍ଷରେ ଟେଷ୍ଟ ସିରିଜରେ କ୍ଲିନ୍ ସୁଇପ୍ ପରେ ତଥାପି ସେ ନିଜ ଜିଦ୍ରେ ଅଟଳ ଅଛନ୍ତି । ସେ କହିଛନ୍ତି ମୁଁ କୋଚ୍ ପଦ୍ ଛାଡିବିନି । ବିସିସିଆଇକୁ ତାଙ୍କ ଭବିଷ୍ୟତ ନିଷ୍ପତ୍ତି ନେବାକୁ ପଡିବ । ଏହା କହିଥିଲେ ସତ, ତଥାପି ସେ ଏହା ମଧ୍ୟ ମନେ ପକାଇ ଦେଇଥିଲେ ଯେ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଦଳ ଅନେକ ବଡ଼ ସଫଳତା ହାସଲ କରିଛି।ଗୌହାଟୀରେ ୪୦୮ ରନର ଦମଦାର ପରାଜୟ ପରେ ଗମ୍ଭୀର ଗଣମାଧ୍ୟମ ସହ କଥା ହେଉଥିଲେ ।

ଦକ୍ଷିଣ ଆଫ୍ରିକା ବିପକ୍ଷରେ ପରାଜୟ ପରେ, ଗମ୍ଭୀର ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇଥିଲେ । ଯେଉଁଠାରେ ତାଙ୍କୁ ଅନେକ କଡ଼ା ପ୍ରଶ୍ନର ସମ୍ମୁଖୀନ ହେବାକୁ ପଡ଼ିଲା। ସେ ପରାଜୟ ପାଇଁ ସମଗ୍ର ଦଳକୁ ଦାୟୀ କରି କହିଥିଲେ ଯେ, ଏହା ସବୁ ତାଙ୍କଠାରୁ ଆରମ୍ଭ ହୋଇଥିଲା। ଟେଷ୍ଟ କୋଚ୍ ଭାବରେ ତାଙ୍କ ଭବିଷ୍ୟତ ବିଷୟରେ ପଚରାଯିବାରୁ, ଗମ୍ଭୀର ତାଙ୍କ କାର୍ଯ୍ୟକାଳର ଦାୟିତ୍ୱ BCCI ଉପରେ ଲଦି ଦେଇଥିଲେ। ଗମ୍ଭୀର କହିଛନ୍ତି, ଏହି ନିଷ୍ପତ୍ତି ନେବା BCCIର ଦାୟିତ୍ୱ। କୋଚ୍ ହେବା ପରେ ମୁଁ ମୋର ପ୍ରଥମ ସାମ୍ବାଦିକ ସମ୍ମିଳନୀରେ କହିଥିଲି ଯେ ମୁଁ ଗୁରୁତ୍ୱପୂର୍ଣ୍ଣ ନୁହେଁ, ଭାରତୀୟ କ୍ରିକେଟ ଗୁରୁତ୍ୱପୂର୍ଣ୍ଣ। ଭୁଲନ୍ତୁ ନାହିଁ ଯେ ମୁଁ ସେହି ବ୍ୟକ୍ତି ଯିଏ ଇଂଲଣ୍ଡରେ ଟେଷ୍ଟ ସିରିଜ ଡ୍ର କରିଥିଲା, ଚାମ୍ପିଅନ୍ସ ଟ୍ରଫି ଏବଂ ଏସିଆ କପ୍ ଜିତିଥିଲା।

ଗମ୍ଭୀର ଏହା ମଧ୍ୟ କହିଛନ୍ତି ଯେ ଟିମ୍ ଇଣ୍ଡିଆ ଏକ ପରିବର୍ତ୍ତନ ସମୟ ଦେଇ ଗତି କରୁଛି ଏବଂ ବର୍ତ୍ତମାନର ଦଳ ଅଭିଜ୍ଞତାର ଅଭାବ ରହିଛି। ଏହା ବ୍ୟତୀତ, ସେ ସ୍ପଷ୍ଟ ଭାବରେ କହିଛନ୍ତି ଯେ, ଯଦି ସେମାନେ ଟେଷ୍ଟ କ୍ରିକେଟରେ ନମ୍ବର ୱାନ୍ ଦଳ ହେବାକୁ ଚାହାଁନ୍ତି, ତେବେ ଏହି ଫର୍ମାଟକୁ ପ୍ରାଥମିକତା ଦେବାକୁ ପଡିବ। ସେ ଆହୁରି ମଧ୍ୟ କହିଛନ୍ତି, ଆମକୁ ଭଲ ଖେଳିବାକୁ ପଡିବ। ୯୫/୧ ରୁ ହଠାତ୍ ୧୨୨/୭ ହୋଇଯିବା ଗ୍ରହଣୀୟ ନୁହେଁ। ଆପଣ କୌଣସି ଗୋଟିଏ ଖେଳାଳି କିମ୍ବା କୌଣସି ଗୋଟିଏ ସଟ୍ ପାଇଁ ଦୋଷ ଦେଇପାରିବେ ନାହିଁ। ମୁଁ କେବେ କାହାକୁ ଦୋଷ ଦେଇନାହିଁ କି କାହାକୁ ଦୋଷ ଦେବି ବି ନାହିଁ।