ନାବାଳିକାକୁ ଦୁଷ୍କର୍ମ କରି ଗର୍ଭବତୀ କଲା ଜଣେ ବୃଦ୍ଧ

ପୁରୀ ୦୮/୦୬: ଜଣେ ୧୭ ବର୍ଷର ନାବାଳିକାକୁ ଦୁଷ୍କର୍ମ କରି ଗର୍ଭବତୀ କରିବା ଅଭିଯୋଗରେ ଗିରଫ ହୋଇଛି ଜଣେ ବୃଦ୍ଧ । ନାବାଳିକା ଜଣକ ୬ ମାସର ଗର୍ଭବତୀ ଥିବାବେଳେ ବାସେଳୀ ସାହି ଥାନାରେ ରୁଜୁ ହୋଇଛି ଦୁଷ୍କର୍ମ ମାମଲା । ଗିରଫ ବୃଦ୍ଧ ଜଣକ ହେଲେ ମାର୍କଣ୍ଡେଶ୍ୱର ସାହି ହରିଜନ ବସ୍ତିର କାହ୍ନୁଚରଣ ବେହେରା ଓରଫ କାହ୍ନୁ (୬୧) ।

ଅଭିଯୋଗ ହୋଇଛି, ଗତ ୬ ମାସ ତଳେ ବୃଦ୍ଧ କାହ୍ନୁ ସେହି ଅଞ୍ଚଳର ଜଣେ ନାବାଳିକାଙ୍କ ଘରେ ପଶିଥିଲା । ଘରେ କେହି ନଥିବା ସୁଯୋଗରେ ନାବାଳିକାଙ୍କୁ ବଳାତ୍କାର କରିଥିଲା । ଏ ନେଇ ଗତ ୬ ତାରିଖରେ ନାବାଳିକାଙ୍କ ପକ୍ଷରୁ ଏତଲା ହେବା ପରେ ପୁଲିସ ଦଫା ୩୭୬ (୨)(ଏନ୍‌), ୫୦୬ ଆଇପିସି ଓ ୪ ପୋକ୍‌ସୋ ଆକ୍ଟ ବଳରେ ମାମଲା (୯୮/୨୧) ରୁଜୁ କରି ବୃଦ୍ଧକୁ ଗିରଫ କରିଛି । ସୋମବାର ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି ।