ବ୍ରହ୍ମପୁର: ଗୁଳି ଫୁଟି ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନାରେ ଅଘଟଣ । ଘଟଣାରେ ଗାଙ୍ଗପୁର ଥାନା ଆଇଆଇସିଙ୍କ ମୃତ୍ୟୁ ହୋଇଥିବା ସୂଚନା । ନିଜେ ରଖିଥିବା ବନ୍ଧୁକରୁ ଅଘଟଣବଶତଃ ଗୁଳି ଫୁଟି ଗାଙ୍ଗପୁର ଥାନାଧିକାରୀ ଦେବ କୁମାର ଗମାଙ୍ଗୋଙ୍କ ମୃତ୍ୟୁ ଘଟିଛି।ଆଇଆଇସିଙ୍କ ନିଜ ବନ୍ଧୁକରୁ ଗୁଳି ଫୁଟି ଗାଙ୍ଗପୁର ଆଇଆଇସିଙ୍କ ମୃତ୍ୟୁ ନେଇ ଗଞ୍ଜାମ ଏସପି ସୂଚନା ଦେଇଛନ୍ତି । ଦେବ ଗମାଙ୍ଗୋ ଆଜି ଗାଙ୍ଗପୁର ଥାନା ପରିସରରେ ଅଣ୍ଟାରେ ନିଜ ବନ୍ଧୁକ ରଖୁଥିଲେ। ତେବେ ବନ୍ଧୁକ ନଟ୍ ଲକ୍ ହୋଇନଥିବାରୁ ଅଚାନକ ସେଥିରୁ ଗୁଳି ଫୁଟି ଯାଇଥିଲା। ଗୁଳି ତାଙ୍କ ଅଣ୍ଟାରେ ବାଜି ପ୍ରଚୁର ରକ୍ତସ୍ରାବ ହୋଇଥିଲା। ତାଙ୍କୁ ଆସ୍କା ଡାକ୍ତରଖାନାରେ ନେବା ବାଟରେ ମୃତ୍ୟୁ ଘଟିଥିଲା। ଡାକ୍ତରଖାନାରେ ଦେବଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର। ଘଟଣାରେ ଗଞ୍ଜାମ ଏସ୍ପି ବ୍ରିଜେଶ ରାଏ ଘଟଣା ସ୍ଥଳକୁ ଯାଇ ଯାଞ୍ଚ କରିଛନ୍ତି ।

ତେବେ ଥାନା ଅଧିକାରୀଙ୍କ ମୃତ୍ୟୁକୁ ନେଇ ସୂଚନା ଦେଇଛନ୍ତି ଗଞ୍ଜାମ ଏସପି । ସେ କହିଛନ୍ତି, ମୃତ୍ୟୁବରଣ କରିଥିବା ଥାନା ଅଧିକାରୀ ଜଣକ କିଛି ଦିନ ହେବ ମାନସିକ ଦୁଶ୍ଚିନ୍ତା ଦେଇ ଗତି କରୁଥିଲେ । ଯାହା ଫଳରେ ଥାନା ପରିସରରେ ଏମିତି ଅଘଟଣ ଘଟିଥିଲା । ୪ ମାସ ପୂର୍ବରୁ ଥାନାରେ ଯୋଗ ଦେଇଥିଲେ ଦେବ କୁମାର ଗମାଙ୍ଗୋ । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଏହା ଦୁର୍ଘଟଣା କି ଆତ୍ମହତ୍ୟା ତାହା ସ୍ପଷ୍ଟ ହେବ ବୋଲି କହିଛନ୍ତି ଗଞ୍ଜାମ ଏସ୍ପି ବ୍ରିଜେଶ ରଏ। ସେପଟେ ମୃତ ଆଇଆଇସିଙ୍କ ପତ୍ନୀ ନବରଙ୍ଗପୁର ଏସପିଙ୍କ କାର୍ଯ୍ୟାଳୟରେ ଇନସପେକ୍ଟର ଭାବେ କାର୍ଯ୍ୟରତ ଥିବା ସୂଚନା ମିଳିଥିବା ସମୟରେ ତାଙ୍କର ୪ ବର୍ଷର ଦୁଇଟି ଯାଆଁଳା ଛୁଆ ଅଛନ୍ତି ।