ରାଜକନିକା: କେନ୍ଦ୍ରାପଡ଼ା ଜିଲ୍ଲାର ରାଜକନିକା ଥାନା ଅଞ୍ଚଳରେ ଥିବା ଗୋଟିଏ ଘରୋଇ ଇଂରାଜୀ ମାଧ୍ୟମ ସ୍କୁଲରେ ପଢୁଥିବା ସପ୍ତମ ଶ୍ରେଣୀର ଜଣେ ଛାତ୍ରୀଙ୍କୁ ଦୀର୍ଘ ସମୟ ଧରି ଗଣଦୁଷ୍କର୍ମ କରାଯାଇଥିବା ଗୁରୁତର ଅଭିଯୋଗ ଆସିଛି। ଘଟଣା ପ୍ରକାଶ ପାଇବା ପରେ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ପୀଡ଼ିତାଙ୍କ ପରିବାର ପକ୍ଷରୁ ଅଭିଯୋଗ ଅନୁସାରେ, ସ୍କୁଲର ଚାରି ଜଣ ଶିକ୍ଷକ ବିଭିନ୍ନ ସମୟରେ ଛାତ୍ରୀଙ୍କୁ ସାଇନ୍ସ ଲ୍ୟାବକୁ ନେଇ ଦୁଷ୍କର୍ମ କରୁଥିଲେ। ଏହା ସହିତ, ଘଟଣା ବିଷୟରେ କାହାକୁ କହିଲେ ତାଙ୍କ ସାନ ଭାଇଙ୍କୁ ମାରିଦେବାକୁ ଧମକ ଦିଆଯାଉଥିବା ମଧ୍ୟ ଅଭିଯୋଗ ହୋଇଛି।
ଜାନୁଆରୀ ମାସରେ ପରିବାର ଲୋକେ ଘଟଣା ବିଷୟରେ ଜାଣିଥିଲେ। ୧୬ ତାରିଖରେ ସ୍କୁଲ ବାର୍ଷିକ ଉତ୍ସବ ସମୟରେ ପୀଡ଼ିତାଙ୍କ ମା ଏହା ନେଇ ପ୍ରଶ୍ନ ଉଠାଇଥିଲେ। ପରେ ୧୮ ତାରିଖରେ ପୀଡ଼ିତାଙ୍କ ବାପା ‘ଚାଇଲ୍ଡ ୱେଲଫେର କମିଟି (CWC)’ ନିକଟରେ ଅଭିଯୋଗ ଦାଖଲ କରିଥିଲେ। ୧୯ ତାରିଖରେ CWC ପକ୍ଷରୁ ସ୍କୁଲରେ ପ୍ରାଥମିକ ତଦନ୍ତ କରାଯାଇଥିଲା। ଘଟଣାର ଗୁରୁତ୍ୱକୁ ଦେଖି କ୍ରାଇମବ୍ରାଞ୍ଚ ଏହାକୁ ‘ରେଡ୍ ଫ୍ଲାଗ୍’ ଭିତରେ ରଖିଛି ଓ ଜଣେ ସିନିୟର ଅଧିକାରୀଙ୍କ ନେତୃତ୍ୱରେ ତଦନ୍ତ ଆରମ୍ଭ କରିଛି। ଏହା ସହିତ, ମାମଲାର ଶୀଘ୍ର ସମାଧାନ ପାଇଁ ସ୍ୱତନ୍ତ୍ର ପବ୍ଲିକ ପ୍ରୋସିକ୍ୟୁଟର (PP) ନିଯୁକ୍ତ କରାଯିବ ବୋଲି ଜଣାପଡ଼ିଛି।
ଏପର୍ଯ୍ୟନ୍ତ ପୁଲିସ ୩ ଜଣ ଶିକ୍ଷକ, ଜଣେ ଶିକ୍ଷୟିତ୍ରୀ ଓ ଜଣେ କର୍ମଚାରୀଙ୍କୁ ଅଟକ ରଖି ପଚରାଉଚରା କରୁଛି। ପୁଲିସ କହିଛି, ତଦନ୍ତ ଜାରି ରହିଛି ଓ ସତ୍ୟାସତ୍ୟ ପ୍ରମାଣିତ ହେଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ପରିବାର ପକ୍ଷରୁ ଏହା ମଧ୍ୟ ଦାବି କରାଯାଇଛି ଯେ ଏହି ଘଟଣାରେ ଆହୁରି କିଛି ଛାତ୍ରୀ ପୀଡ଼ିତ ହୋଇଥାଇପାରନ୍ତି। ଘଟଣା ଗୁରୁ-ଶିଷ୍ୟ ସମ୍ପର୍କ ଉପରେ ଗଭୀର ପ୍ରଶ୍ନ ଉଠାଇଛି ଓ ସ୍ଥାନୀୟ ଲୋକେ ଦୋଷୀଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।