ସ୍ଵାଧୀନ ଭାରତ ଗଠନ ଦିଗରେ ମହାତ୍ମା ଗାନ୍ଧି ଓ ଶାସ୍ତ୍ରୀଙ୍କ ଅବଦାନ ଥିଲା ଅବର୍ଣ୍ଣନୀୟ

ନୂଆଦିଲ୍ଲୀ: ଆଜି ପବିତ୍ର ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ । ମୋହନ ଦାସ କରମ ଚାନ୍ଦ ଗାନ୍ଧି- ଜାତିର ପିତା ମହାତ୍ମା ଗାନ୍ଧିଙ୍କ ଆଜି ୧୫୬ତମ ଜନ୍ମ ଦିବସ। ବାପୁଙ୍କୁ ମନେ ପକାଇ ଆଜି ସାରା ଦେଶରେଆୟୋଜନ ହୋଇଛି ବିଭିନ୍ନ କାର୍ୟ୍ୟକ୍ରମ। ଦିଲ୍ଲୀ ରାଜଘାଟ ସ୍ଥିତ ବାପୁ ସ୍ମୃତି ପୀଠରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସମେତ ଅନେକ ବ୍ୟକ୍ତି ବିଶେଷ ଶ୍ରଦ୍ଧାଞ୍ଜଳି ଜଣାଇବେ। ଆଜିର ଦିନକୁ ସ୍ୱଚ୍ଛ ଭାରତର ସଫଳତା ଦିବସ ଭାବେ ବି ପାଳନ କରାଯାଉଛି। ସେହିପରି ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କ ଆଜି ଜନ୍ମ ଦିବସ। ଆଜି ତାଙ୍କ ଜନ୍ମ ଦିବସରେ ସାରା ଦେଶ ତାଙ୍କୁ ମନେ ପକାଉଛି।

ଗାନ୍ଧିଙ୍କ ଅହିଂସାର ମାର୍ଗକୁ ମନେ ପକାଇବା ପାଇଁ ପ୍ରତିବର୍ଷ ତାଙ୍କ ଜନ୍ମଦିନକୁ ଅର୍ନ୍ତଜାତୀୟ ଅହିଂସା ଦିବସ ଭାବେ ପାଳନ କରାଯାଉଛି । କଳା-ଗୋରା ଭେଦଭାବକୁ ଦୂର କରିବା ନେଇ ସେ ଆରମ୍ଭ କରିଥିଲେ ଆନ୍ଦୋଳନ। ୧୯୧୫ ମସିହାରେ ଭାରତ ଫେରି ଆସି ଦେଶର ସ୍ୱାଧିନତା ଆନ୍ଦୋଳନରେ ସାମିଲ ହୋଇଥିଲେ । ଇଂରେଜ ସରକାର ବିରୋଧରେ ଅସହଯୋଗ ଆନ୍ଦୋଳନ, ଆଇନ ଅମାନ୍ୟ ଆନ୍ଦୋଳନ ଏବଂ ଭାରତ ଛାଡ଼ ଆନ୍ଦୋଳନ କରି ଅହିଂସା ପଥରେ ଦେଶ ପାଇଁ ସ୍ୱାଧୀନ ଆଣି ଦେଇଥିଲେ ଏହି ମହାନ ଜନନାୟକ । ୧୯୪୮ ମସିହା ଜାନୁଆରୀ ୩୦ ତାରିଖରେ ନାଥୁରାମ ଗଡସେ ନାମକ ଜଣେ ଆତତାୟୀ ଗୁଳିରେ ସବୁ ଦିନ ପାଇଁ ଆଖି ବୁଜି ଦେଇଥିଲେ ବାପୁଜୀ । ଗାନ୍ଧିଜୀଙ୍କ ଜୀବନୀ ସଂପର୍କରେ ସମସ୍ତେ ଜାଣନ୍ତି। କିନ୍ତୁ ଗାନ୍ଧିଙ୍କ ଜୀବନ ସହିତ ଜଡ଼ିତ ଅନେକ ଘଟଣା ହୁଏତ ସାଧାରଣ ଲୋକଙ୍କୁ ଜଣା ନ ଥାଇ ପାରେ। ଏକଦା ବିଶ୍ୱର ମହାନ ବୈଜ୍ଞାନିକ ଆଇନଷ୍ଟାଇନ୍‌ କହିଥିଲେ, କିଛି ବର୍ଷ ପରେ ଲୋକ ଭୁଲିଯିବେ ଯେ, ମହାତ୍ମା ଗାନ୍ଧି ନାଁରେ ଜଣେ କେହି ଲୋକ ରକ୍ତ-ମାଂସରେ ତିଆରି ହୋଇଥିବା ମଣିଷ ଚଳପ୍ରଚଳ ହେଉଥିଲେ, ମାତ୍ର ତାଙ୍କର କାର୍ଯ୍ୟ, ଚିନ୍ତାଧାରା ଓ ଆଦର୍ଶ ଚିରକାଳ ମନେରହିବ।

ମହାତ୍ମା ଗାନ୍ଧୀ ଦେଶ ସ୍ୱାଧୀନତା ପାଇଁ ନିଜର ଜୀବନକୁ ବଳି ଦେଇଥିଲେ। ସେ କେବେ ବି କ୍ଷମତା ଓ ବ୍ୟକ୍ତିଗତ ଲାଭ ପାଇଁ ପଦପଦବି ପାଇଁ ମନ ବଳାଇ ନ ଥିଲେ। ସେପଟେ ଆଜି ସମଗ୍ର ଦେଶରେ ପାଳିତ ହେଉଛି ରାଷ୍ଟ୍ରନାୟକ ଲାଲ ବାହାଦୂର ଶାସ୍ତ୍ରୀଙ୍କ ଜନ୍ମ ଜୟନ୍ତୀ । ଦେଶର ଦ୍ୱିତୀୟ ପ୍ରଧାନମନ୍ତ୍ରୀ ୧୯୦୪ ମସିହାରେ ଆଜିର ଦିନରେ ଜନ୍ମ ଗ୍ରହଣ କରିଥିଲେ ଲାଲ ବାହାଦୂର ଶାସ୍ତ୍ରୀ। ପିଲାଟି ବେଳୁ ସେ ବେଶ୍ ନମ୍ର, ଶାନ୍ତ ଓ ସରଳ ଥିଲେ। ମହାତ୍ମା ଗାନ୍ଧିଙ୍କ ଡାକରାରେ ସେ ସ୍ୱାଧୀନତା ଆନ୍ଦୋଳନରେ ସାମିଲ ହୋଇଥିଲେ। ଦେଶ ସ୍ୱାଧୀନ ହେବା ପରେ ଜବାହାରଲାଲ ନେହରୁଙ୍କ ମନ୍ତ୍ରିମଣ୍ଡଳରେ ରେଳମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ ଶାସ୍ତ୍ରୀଜୀ। ପରେ ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହୋଇଥିଲେ ସେ । ଶାସ୍ତ୍ରୀଜୀ ଦେଶର ପ୍ରଧାନମନ୍ତ୍ରୀ ଥିବା ସମୟରେ ପାକିସ୍ତାନ ସହ ଯୁଦ୍ଧଲଢ଼ି ନିଜର ପରାକ୍ରମ ଦେଖାଇପାରିଥିଲା ଭାରତ । ତାଙ୍କ ସ୍ଲୋଗାନ ‘ଜୟ ଜବାନ ଏବଂ ଜୟ କିଶାନ’ ଆଜି ଦେଶ ପାଇଁ ଅମର ହୋଇ ରହିଛି ।