ଭୁବନେଶ୍ୱର: କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲାରେ ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ । ହତ୍ୟାକାଣ୍ଡରେ ସଂପୃକ୍ତ ଥିବା ଆଉ ୨ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ଚାନ୍ଦବାଲି ପୋଲିସ । ମାନସ ହତ୍ୟା ମାମଲାରେ ଅବସରପ୍ରାପ୍ତ ଓଆଇଏସ୍ ନିରଞ୍ଜନ ସେଠୀ ଓ ରାଜ କମ୍ୟୁନିକେସନ ମାଲିକ ରଞ୍ଜନ ନାୟକ ନାମକ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି । ଏନେଇ ସୂଚନା ପ୍ରଦାନ କରିଛନ୍ତି ଚାନ୍ଦବାଲି ଏସପି ଯତୀନ ପଣ୍ଡା । ହତ୍ୟାକାଣ୍ଡ ପଛରେ ନିରଞ୍ଜନ ସେଠୀ ମାଷ୍ଟର ମାଇଣ୍ଡ ବୋଲି କହିଛି ପୋଲିସ । ହତ୍ୟା ଷଢ଼ଯନ୍ତ୍ର, ଅପହରଣ ଓ ଶବକୁ ନଷ୍ଟ କରିବାରେ ନିରଞ୍ଜନଙ୍କ ସମ୍ପୃକ୍ତି ରହିଥିବା ପୋଲିସ କହିଛି ।
ସୂଚନା ଅନୁଯାୟୀ, କ୍ୟାମେରା ମ୍ୟାନ ମାନସ ହତ୍ୟା ମାମଲାରେ ମର୍ଡର ପାଇଁ ପ୍ରି-ପ୍ଲାନ ରଚିଥିଲା ମାଷ୍ଟର ମାଇଣ୍ଡ ନିରଞ୍ଜନ ସେଠୀ । ପୋଲିସର କହିବା ମୁତାବକ, ଚାନ୍ଦବାଲିରୁ ମାନସଙ୍କୁ ଅପହରଣ କରିବା ପାଇଁ ନିରଞ୍ଜନ ଯାଇ ନଥିଲା । କିନ୍ତୁ ମାନସଙ୍କୁ ଅପହରଣ କରିବା ପରେ ଦିନଦୟାଲ ଆଶ୍ରମ ଆଣାଯାଇଥିଲା ତେବେ ସେଠାରେ ଅଭିଯୁକ୍ତ ନିରଞ୍ଜନ ଉପସ୍ଥିତ ଥିଲା । ସେଠାରେ ମାନସଙ୍କୁ ମାଡ଼ ମରାଯିବା ସହ ତାଙ୍କ ହତ୍ୟା ମଧ୍ୟ କରାଯାଇଥିଲା । ତେବେ ନିରଞ୍ଜନ ମାନସଙ୍କୁ ମାଡ଼ ମାରିଥିବାର ମଧ୍ୟ ପୋଲିସ ନିକଟରେ ପ୍ରମାଣ ରହିଛି । ମାନସଙ୍କ ହାତରେ ଘାତକ ଅସ୍ତ୍ରରେ ମାଡ଼ କରାଯାଇଥିଲା । ଏବଂ ହତ୍ୟା ପରେ ତାଙ୍କ ଶବକୁ ନେଇ ପୋତା ଯାଇଥିଲା ।
ଅନ୍ୟ ପକ୍ଷରେ ଶର୍ମିଷ୍ଠା ଏବଂ ତାଙ୍କ ସହଯୋଗୀ ଝୁନାଙ୍କୁ ଏବେ ବି ଖୋଜୁଛି ପୋଲିସ୍ । ତେବେ ଗୋଟିଏ ଚିପ୍ ପାଇଁ ହିଁ ଏହି ହତ୍ୟାକାଣ୍ଡ ହୋଥିଲା ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି, ସେ ଚିପରେ କ’ଣ ଅଛି ତାହା ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ, ପୋଲିସ ହାତରେ ଏ ପର୍ଯ୍ୟନ୍ତ ସେ ଚିପ୍ ଲାଗି ନଥିବା ସୂଚନା ମିଳିଛି । ଫେବ୍ରୁଆରୀ ୭ ତାରିଖରେ ମାନସକୁ ଚାନ୍ଦବାଲିରୁ ଅପହରଣ କରାଯାଇଥିଲା । ମାର୍ଚ୍ଚ ୮ରେ ଅପହରଣରେ ବ୍ୟବହୃତ ଗାଡିକୁ ଜବତ କରାଯାଇଥିଲା । ଡ୍ରାଇଭର ଓ ୨ ଜଣଙ୍କୁ ଗିରଫ କରିଥିଲା ପୋଲିସ ।
ପୋଲିସକୁ ଭୁଆଁ ବୁଲାଇବା ପାଇଁ ଭୁବନେଶ୍ୱରରେ ପ୍ରଥମେ ହତ୍ୟା ପରେ ନୟାଗଡ଼ ରାଜସୁନାଖଳା ବଧିପାଟଣା ପାହାଡ଼ ତଳେ ମାନସଙ୍କ ମୃତଦେହ ପୋତିଥିଲେ ଅଭିଯୁକ୍ତ । ମାନସଙ୍କ ଅପହରଣ ନେଇ ପରିବାର ଲୋକେ ପ୍ରଥମେ ରଣପୁର, ଭୁବନେଶ୍ୱର ଏବଂ ପରେ ଚାନ୍ଦବାଲି ଥାନାରେ ଫେବୃଆରୀ ୧୪ତାରିଖରେ ଅଭିଯୋଗ କରିଥିଲେ । ତେବେ ତଦନ୍ତ ସମୟରେ ପୋଲିସର ସର୍ଭିଲାନ୍ସ ମଧ୍ୟକୁ ଆସିଥିଲା ବୋଲେରୋ ଡ୍ରାଇଭର ଭାଗ୍ୟଧର ନାୟକ । ପୋଲିସ ତାକୁ ହେପାଜତକୁ ନେଇ ପଚରାଉଚରା ପରେ ଶବ ପୋତାଯାଇଥିବା ସ୍ଥାନର ସୂଚନା ମିଳିଥିଲା । ଗତ ୧୨ ତାରିଖରେ ମାନସଙ୍କ ମୃତଦେହ ଉଦ୍ଧାର କରିଥିଲା ପୋଲିସ ।