(ଆସାମ) : ଆସାମରେ ଥମିବାର ନାଁ ଥରୁନି ବନ୍ୟା ବିଭୀଷିକା । ଏଥିପାଇଁ ବହୁ ଧନ ଜୀବନ କ୍ଷୟକ୍ଷତି ହେବା ସହିତ ଏବେବି ବନ୍ୟା ଘେରରେ ଲକ୍ଷ ଲକ୍ଷ ଲୋକ ରହିଛନ୍ତି । ତେବେ ରାଜ୍ୟର ୩୪ ଟି ଜିଲ୍ଲା ମଧ୍ୟରୁ ୨୨ ଟିରେ ୭.୧୯ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି । ୨୨ ଟି ଜିଲ୍ଲାର ୨୦୯୫ ଗାଁରୁ ୧ ଲକ୍ଷ ୪୧ ପିଲାଙ୍କ ସମେତ ମୋଟ ୭ ଲକ୍ଷ ୧୯ ହଜାର ୪୨୫ ଲୋକ ପ୍ରଭାବିତ ହୋଇଛନ୍ତି ।

ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ଆଜି (ସୋମବାର) ଏନେଇ କହିଛି ଯେ ବନ୍ୟା ଯୋଗୁଁ ଆସାମରେ ଆଉ ୬ ଜଣଙ୍କର ମୃତ୍ୟୁ ଘଟିଛି । ଏବଂ ମୋଟ ମୃତ୍ୟୁ ସଂଖ୍ୟା ୨୪ ରେ ପହଞ୍ଚିଛି । ୨୪ ମୃତ୍ୟୁ ମଧ୍ୟରୁ ୧୯ ଟି ବନ୍ୟା ପରିସ୍ଥିତି ଏବଂ ୫ ଟି ବିଭିନ୍ନ ଜିଲ୍ଲାରେ ହୋଇଥିବା ଭୂସ୍ଖଳନ ଯୋଗୁଁ ଘଟିଛି ।

ସୂଚନାନୁଯାୟୀ, ବିପର୍ଯ୍ୟୟ ମୁକାବିଲା ବାହିନୀ ଏବଂ ସ୍ବେଚ୍ଛାସେବୀଙ୍କ ସାହାଯ୍ୟରେ ସମୁଦାୟ ୨୬ ହଜାର ୪୮୯ ଜଣଙ୍କୁ ଉଦ୍ଧାର କରାଯାଇଛି । ସମସ୍ତ ପ୍ରଭାବିତ ଅଞ୍ଚଳରେ ମୋଟ ୬୨୪ ରିଲିଫ କ୍ୟାମ୍ପ ଏବଂ ୭୨୯ ରିଲିଫ ବଣ୍ଟନ କେନ୍ଦ୍ର ଖୋଲାଯାଇଛି । ସେହିପରି ରିଲିଫ୍ କ୍ୟାମ୍ପରେ ସମୁଦାୟ ୧ ଲକ୍ଷ ୩୨ ହଜାର ୭୧୭ ଲୋକ ବାସ କରୁଛନ୍ତି । ଏଭଳି ସ୍ଥିରେ ୧, ୩୦, ୫୯୬ ହେକ୍ଟରରୁ ଅଧିକ ଫସଲ ପ୍ରଭାବିତ ହୋଇଛି ।