ବିମାନ କର୍ମଚାରୀଙ୍କୁ ପରଫ୍ୟୁମ୍ ମନା! ବ୍ରେଥ ଆନାଲାଇଜ୍ ଟେଷ୍ଟରେ ରିପୋର୍ଟ ଆସୁଛି ପଜିଟିଭ

ପରଫ୍ୟୁମ ବ୍ୟବହାର କରୁଥିବା ପାଇଲଟଙ୍କ ବିରୁଦ୍ଧରେ ହୋଇପାରେ କାର୍ଯ୍ୟାନୁଷ୍ଠାନ । ଭାରତରେ ନୂଆ ନିୟମ ଅନୁଯାୟୀ ଏବେ ବିମାନ କର୍ମଚାରୀଙ୍କୁ ଆଲକହଲ ଯୁକ୍ତ ପରଫ୍ୟୁମ ବ୍ୟବହାର କରିବା ମନା ।ଆଲକହଲ୍ ଭାଗ ଥିବା ପରଫ୍ୟୁମ୍, ଔଷଧ ଆଦି ଉତ୍ପାଦ ବିମାନ କର୍ମଚାରୀ ମାନଙ୍କ ବ୍ୟବହାର ପାଇଁ ମନା ହୋଇପାରେ । ବିମାନକୁ ଯିବା ପୂର୍ବରୁ କିମ୍ବା ବିମାନରୁ ବାହାରିବା ପରେ ହେଉଥିବା ବ୍ରେଥ ଆନାଲାଇଜ୍ ବା ନିଶା ସେବନ ପରୀକ୍ଷା ସମୟରେ କେତେକ କ୍ଷେତ୍ରରେ ଉକ୍ତ ରିପୋର୍ଟ ପଜିଟିଭ୍ ଆସୁଛି ।

ଏହାକୁ ଦୃଷ୍ଟିରେ ରଖି ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ ବା ଡିଜିସିଏ ଆଲକହଲ ବ୍ୟବହାର ପାଇଁ ଡାକ୍ତରୀ ପରୀକ୍ଷା ପଦ୍ଧତିରେ ସଂଶୋଧନ ପାଇଁ ପ୍ରସ୍ତାବ ଦେଇଛି । ଏହି ସଂଶୋଧନ ପ୍ରସ୍ତାବରେ ଉପରୋକ୍ତ କଟକଣା ଲଗାଇବା ପାଇଁ କୁହାଯାଇଛି । ଏହା ହେଲେ ବିମାନ କର୍ମଚାରୀ ଏଭଳି କିଛି ଔଷଧ ବ୍ୟବହାର କରିପାରିବେ ନାହିଁ, ଯେଉଁଥିରେ ଆଲକହଲ ରହିଛି । କେବଳ ଔଷଧ ନୁହେଁ, ମାଉଥୱାସ, ଦାନ୍ତଘଷା ଜେଲ, ପରଫ୍ୟୁମ ଆଦି ଯେଉଁଥିରେ ଆଲକହଲର ମାତ୍ରା ରହିଛି ତାହାକୁ ମଧ୍ୟ ସେମାନେ ବ୍ୟବହାର କରିପାରିବେ ନାହିଁ । ଏସବୁ ଔଷଧ ଓ ଉତ୍ପାଦ ବ୍ୟବହାର କଲେ ବ୍ରେଥ ଆନାଲଇଜର ଟେଷ୍ଟ ପଜିଟିଭ ଆସିପାରେ ।

 ଯଦି କୌଣସି କର୍ମଚାରୀ ସଦସ୍ୟ ଉକ୍ତ ଔଷଧ ନେବେ ତାହା ପୂର୍ବରୁ କମ୍ପାନିର ଡାକ୍ତରଙ୍କୁ ବିମାନ ଉଡ଼ାଣ କାର୍ଯ୍ୟ ପୂର୍ବରୁ ପରାମର୍ଶ କରିବେ ବୋଲି ଡିଜିସିଏର ଚିଠା ପ୍ରସ୍ତାବରେ କୁହାଯାଇଛି । ଅନେକ ପାଇଲଟଙ୍କର ନିଶା ସେବନ ଟେଷ୍ଟ ପଜିଟିଭ୍ ଆସିଛି । କହିରଖିବାକୁ ଚାହିଁବୁ ଯେ ପୂର୍ବରୁ ଅନେକ ପାଇଲଟଙ୍କର ବ୍ରେଥ୍‌ ଆନାଲଇଜ ଟେଷ୍ଟ ପଜିଟିଭ୍‌ ଆସିଛି। ସେମାନେ ଏଥିପାଇଁ ଆଫଟର ସେଭ ଲୋସନ କିମ୍ବା ପରଫ୍ୟୁମରେ ଥିବା ଆଲକୋହଲକୁ ଦୋଷ ଦେଇଛନ୍ତି। ଏପରିକି ହୋମିଓପାଥି ଔଷଧ ସେବନକୁ ମଧ୍ୟ ଦୋଷ ଦେଇଛନ୍ତି।