ପୁରୀ: ଆସନ୍ତା ମାର୍ଚ୍ଚ ୩ ତାରିଖରେ ଫାଲଗୁନ ପୂର୍ଣ୍ଣିମା, ଅର୍ଥାତ୍ ଦୋଳ ପୂର୍ଣ୍ଣିମା ଦିନ ଆକାଶରେ ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ଦେଖାଦେବ। ଧାର୍ମିକ ଓ ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଏହି ଗ୍ରହଣକୁ ବିଶେଷ ଗୁରୁତ୍ୱ ଦିଆଯାଉଛି। ଶ୍ରୀମନ୍ଦିର ମୁକ୍ତିମଣ୍ଡପ ପଣ୍ଡିତସଭା ଅନୁମୋଦିତ ପଞ୍ଜିକା ଅନୁସାରେ, ଏହି ଚନ୍ଦ୍ରଗ୍ରହଣ ଅପରାହ୍ନ ୩ଟା ୨୦ ମିନିଟ୍ ୧୭ ସେକେଣ୍ଡରେ ଆରମ୍ଭ ହେବ ଓ ସନ୍ଧ୍ୟା ୬ଟା ୪୭ ମିନିଟ୍ ପର୍ଯ୍ୟନ୍ତ ଚାଲିବ। ସମୁଦାୟ ଗ୍ରହଣ ସମୟ ୩ ଘଣ୍ଟା ୨୭ ମିନିଟ୍ ରହିବା ସହ ପୂର୍ଣ୍ଣ ଗ୍ରାସ ସମୟ ପ୍ରାୟ ୫୯ ମିନିଟ୍ ହେବ।
ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଗ୍ରହଣ ଆରମ୍ଭର ୯ ଘଣ୍ଟା ପୂର୍ବରୁ ଘାତ କାଳ (ସୂତକ) ଆରମ୍ଭ ହୁଏ। ସେହି ଅନୁସାରେ ସକାଳ ୬ଟା ୨୦ ମିନିଟ୍ ରୁ ଘାତ ସମୟ ଆରମ୍ଭ ହେବ ଓ ସନ୍ଧ୍ୟା ୬ଟା ୪୬ ମିନିଟ୍ ପର୍ଯ୍ୟନ୍ତ ରହିବ। ଏହି ସମୟରେ ଶୁଭ କାର୍ଯ୍ୟ, ପୂଜାପାଠ ଓ ନୂତନ କାମ ଆରମ୍ଭ କରିବାକୁ ଅନୁଚିତ ବୋଲି ମାନ୍ୟତା ରହିଛି। ଏହି ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ପଶ୍ଚିମବଙ୍ଗ, ଆସାମ, ମଣିପୁର, ମିଜୋରାମ, ନାଗାଲାଣ୍ଡ ଓ ଅରୁଣାଚଳ ପ୍ରଦେଶ ସହ ଓଡିଶାରେ ମଧ୍ୟ ସ୍ପଷ୍ଟ ଭାବେ ଦେଖାଯିବ। ଧାର୍ମିକ ଦୃଷ୍ଟିରୁ ଏହି ଦିନ ଦାନ-ଧର୍ମ, ଜପ-ତପ ଓ ପବିତ୍ର ସ୍ନାନ କରିବାକୁ ବିଶେଷ ଫଳଦାୟକ ବୋଲି ମନ୍ୟ କରାଯାଏ।