ଚୀନ ହସ୍ପିଟାଲରେ ଅଗ୍ନିକାଣ୍ଡ, ୨୧ମୃତ୍ୟୁ ୭୨ ଗୁରୁତର

ଚୀନ ରାଜଧାନୀ ବେଜିଂର ଏକ ହସ୍ପିଟାଲରେ ଭୀଷଣ ଅଗ୍ନିକାଣ୍ଡ । ଏହି ଅଗ୍ନିକାଣ୍ଡ ୨୧ ଜଣ ଜୀଅନ୍ତା ଜଳି ଯାଇଥିବା ବେଳେ ୭୧ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି । ବେଜିଂସ୍ଥିତ ଚାଙ୍ଗଫେଙ୍ଗ ହସ୍ପିଟାଲରେ ଗତକାଲି ମଧ୍ୟାହ୍ନ ସମୟରେ ନିଆଁ ବାହାରୁଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ଏହାପରେ ଖବର ପାଇ ତୁରନ୍ତ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲା। ସେତେବେଳକୁ ନିଆଁ ହୁତୁହୁତୁ ହୋଇ ଜଳୁଥିବା ବେଳେ ପ୍ରାଣ ବିକଳରେ ଲୋକେ ନିଜ ରୋଗୀଙ୍କୁ ଧରି ଚାରିଆଡ଼େ ଦୌଡ଼ିବାକୁ ଲାଗୁଥିଲେ। ଏହାକୁ ନିୟନ୍ତ୍ରଣ କରିବାକୁ ପ୍ରାୟ ଦେଢ଼ଘଣ୍ଟା ସମୟ ଲାଗିଥିଲା । ଅଗ୍ନିଶମ କର୍ମଚାରୀ ତୁରନ୍ତ ନିଆଁକୁ ଆୟତ୍ତ କରିବା ସହ ହସ୍ପିଟାଲରେ ଫସିଥିବା ଲୋକଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କରିଥିଲେ। ଅଗ୍ନିକାଣ୍ଡ ଯୋଗୁ ବହୁ ଜଣଙ୍କ ଶରୀର ପୋଡ଼ି ଯାଇଥିଲା। ତୁରନ୍ତ ସମସ୍ତଙ୍କୁ ନିକଟସ୍ଥ ମେଡିକାଲ ସ୍ଥାନାନ୍ତର କରାଯାଇଥିବା ବେଳେ ଡାକ୍ତର ସେଠାରେ ୨୧ ଜଣଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟମାନଙ୍କ ଚିକିତ୍ସା ଚାଲିଥିବା ବେଳେ ବହୁ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି। ତେଣୁ ମୃତକଙ୍କ ସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି। ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଅଗ୍ନିକାଣ୍ଡ ପଛର କାରଣ କ’ଣ ତାହା ସ୍ପଷ୍ଟ ହୋଇନାହିଁ।