ମାଟି ତଳୁ ହାତୀ ‘ରାମୁ’ର କଙ୍କାଳ ଉଦ୍ଧାର, ପ୍ରକୃତିନିବାସରେ ରହିବ ସଂରକ୍ଷିତ

ଭୁବନେଶ୍ବର: ମାଟି ତଳୁ ହାତୀ ‘ରାମୁ’ର କଙ୍କାଳ ଉଦ୍ଧାର । ଭରତପୁର ଜଙ୍ଗଲରେ ମାଟି ତଳୁ ‘ରାମୁ’ର କଙ୍କାଳ ଉଦ୍ଧାର । ୨ଟି ଦାନ୍ତ ଉଦ୍ଧାର; ଗୋଟିଏର ଓଜନ ୪ କିଲୋ, ଅନ୍ୟଟିର ଅଢ଼େଇ କିଲୋ । ପ୍ରାଣୀବିଜ୍ଞାନୀଙ୍କ ନେତୃତ୍ବରେ ୨୫ ଜଣିଆ ଟିମ୍ ଦ୍ବାରା ହେଲା ଉଦ୍ଧାର । ଚନ୍ଦକା-ଡମପଡ଼ା ବନ୍ୟପ୍ରାଣୀ ଅଭୟାରଣ୍ୟର ଭରତପୁର ଜଙ୍ଗଲରେ ମାଟିତଳେ ପୋତା ହୋଇଥିବା ହାତୀର କଙ୍କାଳକୁ ଉଦ୍ଧାର କରାଯାଇଛି । ଏବେ ଏହାକୁ ଭୁବନେଶ୍ୱର ଉପକଣ୍ଠ ଗୋଡ଼ିବାରି ପ୍ରକୃତି ନିବାସକୁ ନିଆଯିବ।

ଗୋଡ଼ିବାରି ପ୍ରକୃତିନିବାସରେ ସଂରକ୍ଷିତ ରହିବ ରାମୁ ହାତୀର କଙ୍କାଳ । ଯାହା ରାମୁକୁ ଜନମାନସରେ ଚିରଦିନ ପାଇଁ ଅମର କରି ରଖିବ। ଓଡ଼ିଶାରେ ଆଗରୁ ହାତୀ କଙ୍କାଳକୁ ସଂରକ୍ଷଣ କରାଯାଇଛି । ଭୁବନେଶ୍ଵରରେ ଥିବା ନାଚୁରାଲ ହିଷ୍ଟ୍ରି ମ୍ୟୁଜିୟମରେ ଶଙ୍କର ହାତୀର କଙ୍କାଳକୁ ବୈଜ୍ଞାନିକ ଉପାୟରେ ସଂରକ୍ଷଣ କରାଯାଇ ଦର୍ଶକ ମାନଙ୍କ ପାଇଁ ସଚେତନତା ପାଇଁ ପ୍ରଦର୍ଶିତ କରାଯାଇଛି । ଗତବର୍ଷ ଅଗଷ୍ଟ ୧୯ରେ ବିଦ୍ୟୁତ ଆଘାତରେ ରାମୁର ମୃତ୍ୟୁ ହୋଇଥିଲା । ଚନ୍ଦକା-ଡମପଡ଼ା ଅଭୟାରଣ୍ୟ ଅନ୍ତର୍ଗତ ଭରତପୁରରେ ରାମୁ ଥିଲା ଏକ ବଳଶାଳୀ ହାତୀ । ପ୍ରାୟ ୩୫ ବର୍ଷ ପୂର୍ବେ ଏହି ଜଙ୍ଗଲରେ ରାମୁ ଜନ୍ମ ନେଇଥିଲା । ଏହି ଦନ୍ତା ହାତୀଟି ଭରତପୁର, ଅନ୍ଧାରୁଆ, ମାଳିମ ଠାକୁରାଣୀ ରାସ୍ତା, ମଳିପଡ଼ା, ଶାମପୁର, ଗୋଠପାଟଣା ତଥା ଖୋର୍ଦ୍ଧା ଡିଭିଜନ ଅଞ୍ଚଳକୁ ନିୟମିତ ବ୍ୟବଧାନରେ ଯିବା ଆସିବା କରୁଥିଲା । ଉକ୍ତ ଅଞ୍ଚଳରେ ଥିବା ଲୋକଙ୍କ ବାଡ଼ିବଗିଚାରେ ପଶି ଫସଲ ନଷ୍ଟ କରୁଥିଲା । ରାମୁ କେବଳ ନିଜ ପେଟ ପାଇଁ ଏତେ ନାଟ କରୁଥିଲା । ହେଲେ ଲୋକଙ୍କୁ କେବେ ଆକ୍ରମଣ ତ ଦୂରେ ଥାଉ, କେବେବି ଆଡ଼ ଆଖିରେ ଅନାଏ ନାହିଁ । ତେଣୁ ‘ରାମୁ’ ବନ କର୍ମଚାରୀଙ୍କଠାରୁ ଆରମ୍ଭ କରି ସଭିଁଙ୍କ ପ୍ରିୟ ଥିଲା ।