ନୂଆଦିଲ୍ଲୀ: କେନ୍ଦ୍ର ସରକାର ସବସିଡି ହ୍ରାସ କରିବା ପରେ ଇଲେକ୍ଟ୍ରିକ୍ ଯାନ ଅଭିଯାନକୁ ଧକ୍କା ଲାଗିଛି। ଇଭି ବିକ୍ରି ହ୍ରାସ ପାଇଛି। ଗତ ମେ ମାସ ତୁଳନାରେ ଜୁନରେ ଇଭି ବିକ୍ରି ୬୦ ପ୍ରତିଶତ ହ୍ରାସ ପାଇ ୪୨ହଜାରରେ ପହଞ୍ଚିଛି। ୨୦୨୨ ଫେବ୍ରୁଆରି ପରେ ପ୍ରଥମ ଥର ପାଇଁ କୌଣସି ମାସରେ ଏତେ କମ୍ ସଂଖ୍ୟକ ଇଭି ବିକ୍ରି ହୋଇଛି। ସବସିଡି ହ୍ରାସ ପାଇବା ପରେ ପ୍ରାୟ ୩୦ ପ୍ରତିଶତ ଗ୍ରାହକଙ୍କ ପାଇଁ ଗାଡ଼ି ମହଙ୍ଗା ହୋଇଯାଇଛି । ତେଣୁ ୨୦୨୩-୨୪ରେ ବିକ୍ରି ସଂଖ୍ୟା ଏକ ନିୟୁତ ସ୍ପର୍ଶ କରିବାର ସମ୍ଭାବନା କମ୍ ରହିଛି।
୨୦୨୩-୨୪ରେ ୨୪ଲକ୍ଷ ଇଭି ବିକ୍ରି ହେବ ବୋଲି ନିତି ଆୟୋଗ ଆକଳନ କରିଥିଲା। ତାହାର ଅଧା ଗାଡ଼ି ବିକ୍ରି ହୋଇନପାରେ ବୋଲି ହିରୋ ଇଲେକ୍ଟ୍ରିକର ସିଇଓ ସୋହିନ୍ଦର ଗିଲ୍ କହିଛନ୍ତି। ୨୦୩୦ ସୁଦ୍ଧା ୩୦ ପ୍ରତିଶତ ପ୍ରାଇଭେଟ୍ କାର୍, ୭୦ ପ୍ରତିଶତ କମର୍ସିଆଲ୍ ଗାଡ଼ି ଓ ୮୦ ପ୍ରତିଶତ ଦୁଇଚକିଆ ଓ ତିନିଚକିଆ ଯାନ ବ୍ୟାଟେରିରେ ଚାଲିବ ବୋଲି କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନିତୀନ ଗଡ଼କରୀ ଲକ୍ଷ୍ୟ ଧାର୍ୟ୍ୟ କରିଛନ୍ତି। ବର୍ତ୍ତମାନ ସ୍ଥିତି ଯାହା ଇଭିର ଭାଗ ୧୦ ପ୍ରତିଶତକୁ ବଢ଼ାଇବା କଷ୍ଟକର ମନେ ହେଉଛି। ବର୍ତ୍ତମାନ ତିନିଚକିଆ ଇଭିର ଭାଗ ୪ ପ୍ରତିଶତ ରହିଛି। ୨୦୩୦ ସୁଦ୍ଧା ତାହା ୪୦ ରୁ ୪୫ ପ୍ରତିଶତରେ ପହଞ୍ଚିବ ନା ନାହିଁ ତାହା ଆକଳନ କରିବା କଷ୍ଟକର। ଦିଲ୍ଲୀ ସରକାର ୫ହଜାର ଇଭି ତିନିଚକିଆ ପରମିଟ୍ ଦେବେ ବୋଲି ଘୋଷଣା କରିଥିଲେ ମଧ୍ୟ ଗାଡ଼ି ଦାମ୍ ଅଧିକ ରହୁଥିବାରୁ ଅଳ୍ପ ସଂଖ୍ୟକ ଚାଳକ ତାହା କିଣୁଛନ୍ତି। ଇଭି ବସ୍ କ୍ଷେତ୍ରରେ ରାଜ୍ୟ ପରିବହନ ନିଗମଗୁଡ଼ିକୁ ବସ୍ କିଣିବା ସତ୍ତ୍ବେ ସେଥିରେ ମାତ୍ର ୩୩ ପ୍ରତିଶତ ସବସିଡି ବ୍ୟବହାର ହୋଇଛି।
ଇଭି କାରର ଭାଗ ଏବେ ୧ପ୍ରତିଶତରୁ କମ୍ ରହିଛି । ଗାଡ଼ି ବିକ୍ରିର ଏକ ଭିନ୍ନ ଚିତ୍ର ସାମ୍ନାକୁ ଆସିଛି। ଜୁନ୍ ମାସରେ କାର୍ ଓ ଦୁଇଚକିଆ ଯାନ ବିକ୍ରିରେ ମାତ୍ର ୨ ପ୍ରତିଶତ ବୃଦ୍ଧି ହୋଇଥିବା ବେଳେ ବିଳାସପୂର୍ଣ୍ଣ ଦାମୀ ଗାଡ଼ି ବିକ୍ରି ୩୮% ବଢ଼ିଛି। ଏହି ମାସରେ ୨୦ହଜାର ଦାମୀ ଗାଡ଼ି ବିକ୍ରି ହୋଇଛି। ଜୁନରେ ୩.୨୭ ଲକ୍ଷ କାର୍ ଓ ୧୩.୩୦ ଲକ୍ଷ ଦୁଇଚକିଆ ବିକ୍ରି ହୋଇଛି ବୋଲି ଅଟୋମୋବାଇଲ୍ ନିର୍ମାତା ସଂଘ ସିଆମ୍ ଜାରି କରିଥିବା ତଥ୍ୟରୁ ଜଣାପଡ଼ିଛି। ତିନିଚକିଆ ବିକ୍ରି ଦୁଇ ଗୁଣା ବୃଦ୍ଧି ପାଇ ୫୩,୦୧୯ରେ ପହଞ୍ଚିଛି। କମର୍ସିଆଲ ଗାଡ଼ି ବିକ୍ରି ୨,୧୭,୦୪୬କୁ ହ୍ରାସ ପାଇଛି।