ନୂଆଦିଲ୍ଲୀ: ଦିଲ୍ଲୀରେ ବାୟୁର ମାନ ଅତ୍ୟନ୍ତ ଗମ୍ଭୀର ସ୍ଥିତିରେ ପହଞ୍ଚିଛି । ଫଳରେ ଅସମ୍ଭାଳ ହୋଇପଡିଛି ସ୍ଥିତି । ନିଶ୍ୱାସ ନେବା ଏଠି ମୁସକିଲ ହୋଇପଡିଛି । ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀର ପରିବେଶ ମନ୍ତ୍ରୀ ଗୋପାଳ ରାୟ କୃତ୍ରିମ ବର୍ଷା କରାଇବାକୁ ଅଣ୍ଟା ଭିଡିଛନ୍ତି । ଏନେଇ କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ଲୋଡିଛନ୍ତି ପରିବେଶ ମନ୍ତ୍ରୀ ।
ମଙ୍ଗଳବାର ଦିନ କେନ୍ଦ୍ରକୁ ଏକ ଚିଠି ଲେଖି ଜାତୀୟ ରାଜଧାନୀରେ କୃତ୍ରିମ ବର୍ଷା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହସ୍ତକ୍ଷେପ ଲୋଡିଛନ୍ତି। ମଙ୍ଗଳବାର ଗଣମାଧ୍ୟମକୁ ସମ୍ବୋଧିତ କରିବା ସମୟରେ ପରିବେଶ ମନ୍ତ୍ରୀ କହିଛନ୍ତି, “ଧୁଆଁର ସ୍ତର ଉତ୍ତର ଭାରତକୁ ଆଚ୍ଛାଦିତ କରିଛି। ଧୁଆଁରୁ ମୁକ୍ତି ପାଇବା ପାଇଁ କୃତ୍ରିମ ବର୍ଷା ହେଉଛି ଏକମାତ୍ର ସମାଧାନ। ପ୍ରଧାନମନ୍ତ୍ରୀ ମୋଦୀ ଏଥିରେ ହସ୍ତକ୍ଷେପ କରିବା ଉଚିତ। ଏହି ସମସ୍ୟା ଉପରେ କାମ କରିବା ତାଙ୍କର ନୈତିକ ଦାୟିତ୍ବ ଅଟେ। ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ପଦକ୍ଷେପ ନେବା ଉଚିତ।”ଜାତୀୟ ରାଜଧାନୀରେ ଧୁଆଁର ଏକ ଘନ ସ୍ତର ଆଚ୍ଛାଦିତ ହୋଇ ରହିଥିବାରୁ ଆଜି ଦେଶର ସବୁଠାରୁ ପ୍ରଦୂଷିତ ସହର ପାଲଟିଛି ଦିଲ୍ଲୀ। ଆଜି ଜାତୀୟ ରାଜଧାନୀରେ ବାୟୁ ଗୁଣବତ୍ତା ସୂଚକାଙ୍କ ୪୯୪ ଛୁଇଁଥିବା ବେଳେ ‘ଅତ୍ୟନ୍ତ ଗମ୍ଭୀର ଅବସ୍ଥା’ରେ ରହିଛି ଦିଲ୍ଲୀର ବାୟୁ ଅବସ୍ଥା।