ସେନା ଗୁଳିରେ ଟଳିଲେ ୨ ଆତଙ୍କବାଦୀ
ଦିନକୁ ଦିନ ସେନା ଓ ଆତଙ୍କୀବାଦୀଙ୍କ ମଧ୍ୟରେ ଗୁଳିବିନିମୟ ବୃଦ୍ଧି ପାଇବାରେ ଲାଗିଛି ।
(ଜାମ୍ମୁ କାଶ୍ମୀର) : ଦିନକୁ ଦିନ ସେନା ଓ ଆତଙ୍କୀବାଦୀଙ୍କ ମଧ୍ୟରେ ଗୁଳିବିନିମୟ ବୃଦ୍ଧି ପାଇବାରେ ଲାଗିଛି । ସେନାଙ୍କ ଗୁଳିରେ ଲଗାତାର ଭାବେ ଆତଙ୍କବାଦୀମାନେ ପ୍ରାଣ ହରାଉଥିବା ଦେଖିବାକୁ ମିଳିଛି । ଜାମ୍ମୁ କାଶ୍ମୀରରେ ପୁଣି ସୁରକ୍ଷା ବଳକୁ ବଡ ଧରଣର ସଫଳତା ମିଳିଛି । କୁଲଗାମ ଜିଲ୍ଲାରେ ସର୍ଚ୍ଚ ଅପରେସନ ବେଳେ ଦୁଇ ଜଣ ଆତଙ୍କବାଦୀଙ୍କୁ ଏନକାଉଣ୍ଟର କରିଛି ଭାରତୀୟ ସେନା ।
ପୋଲିସ କହିବା ମୁତାବକ, କୁଲଗାମର ନୌପୋରା-ଖେରପୋରା ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚିରହିଥିବା ନେଇ ଗୁପ୍ତ ସୂଚନା ମିଳିଥିଲା । ଏହା ପରେ ସଂପୃକ୍ତ ଅଞ୍ଚଳକୁ ସିଲ କରାଯାଇ ସର୍ଚ୍ଚ ଅପରେସନ ଜୋରଦାର କରାଯାଇଥିଲା । ଆତଙ୍କବାଦୀମାନେ ପ୍ରଥମେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳିମାଡ କରିଥିଲେ । ପାଲଟା ଆକ୍ରମଣରେ ଦୁଇ ଜଣ ଆତଙ୍କୀ ନିହତ ହୋଇଛନ୍ତି । ମୃତକ ୨ ଜଣ ଆତଙ୍କୀ ଲସ୍କର-ଏ-ତୋଏବା ସଂଗଠନର ବୋଲି ଜଣାପଡିଛି ।
ସୂଚନାନୁଯାୟୀ , ପୂର୍ବରୁ ମଧ୍ୟ ଗୁଇନ୍ଦା ରିପୋର୍ଟ ମୁତାବକ ୧୫୦ରୁ ଉର୍ଦ୍ଧ୍ବ ଆତଙ୍କବାଦୀ ଭାରତରେ ଅନୁପ୍ରବେଶ କରିବାକୁ ସୁଯୋଗ ଖୋଜୁଛନ୍ତି । ଲଞ୍ଚ ପ୍ୟାଡରେ ସେମାନେ ଅପେକ୍ଷା କରିରହିଛନ୍ତି । ଏହା ବାଦ୍ ଆହୁରି ୫ଶହ ରୁ ୭ଶହ ଆତଙ୍କବାଦୀ ପ୍ରଶିକ୍ଷଣ ନେଉଛନ୍ତି । ୧୧ଟି ଟ୍ରେନିଂ କ୍ୟାମ୍ପରେ ସେମାନେ ପ୍ରଶିକ୍ଷଣ ନେଉଥିବା ସୂଚନା ମିଳିଛି । ତେବେ ସେନା ପକ୍ଷରୁ ସର୍ଚ୍ଚ ଅପରେସନ ଜୋରଦାର ଜାରି ରହିଥିବାରୁ ଅନୁପ୍ରବେଶ ଉଦ୍ୟମ ବାରମ୍ବାର ପଣ୍ଡ ହେଉଛି ।