ଭୁବନେଶ୍ଵର: ବିଶିଷ୍ଟ ସାହିତ୍ୟିକ ଦେବଦାସ ଛୋଟରାୟଙ୍କୁ ମିଳିଲା ଶାରଳା ପୁରସ୍କାର । ଗଳ୍ପ ସଂକଳନ ‘ମ୍ୟାଟିନି ସୋ’ ପାଇଁ ପ୍ରଦାନ କରାଗଲା ଶାରଳା ପୁରସ୍କାର । ଭୁବନେଶ୍ବରରେ ବର୍ଣ୍ଣାଢ୍ୟ ସମାବେଶରେ ସାହିତ୍ୟିକ ଦେବଦାସ ଛୋଟରାୟଙ୍କୁ ପୁରସ୍କୃତ କରାଯାଇଛି । ଉତ୍ତରୀୟ, ସମ୍ମାନପତ୍ର, ଫଳକ ସହ ୭ ଲକ୍ଷ ଟଙ୍କାର ଅର୍ଥରାଶି ପ୍ରଦାନ । ଚିତ୍ରଶିଳ୍ପୀ ବଳଦେବ ମହାରଥା ଓ ସଙ୍ଗୀତ ଗୁରୁ ରାମହରି ଦାସ ମଧ୍ୟ ସମ୍ମାନିତ । ଉଭୟ ଇଲା ବଂଶୀଧର ପଣ୍ଡା କଳା ସମ୍ମାନରେ ସମ୍ମାନିତ । ଉଭୟଙ୍କୁ ୨ ଲକ୍ଷ ୫୦ ହଜାର ଟଙ୍କାର ଅର୍ଥରାଶି ପ୍ରଦାନ କରାଯାଇଛି । ପ୍ରତିବର୍ଷ ଇମ୍ଫା ଚାରିଟେବଲ ଟ୍ରଷ୍ଟ (ଇମ୍ପାକ୍ଟ) ପକ୍ଷରୁ ଦିଆଯାଉଛି ପୁରସ୍କାର ।

୨୫ ନଭେମ୍ବର ୧୯୪୬ରେ ଜନ୍ମିତ ଏହି ୭୮ ବର୍ଷୀୟ ଲେଖକ ଲାଲମାଛ, ରମାକୁ ମାରିବାର ପାଞ୍ଚଟି ଉପାୟ (ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ), ମ୍ୟାଟିନି ସୋ ଆଦି ଗଳ୍ପ ସଂକଳନ ସହିତ ଚୁମ୍ବନ, ବଡ଼ଘରର ଦାସୀ ଆଦି ଉପନ୍ୟାସର ସଫଳ କଥାକାର କେବଳ ନୁହନ୍ତି, ନୀଳ ସରସ୍ୱତୀ, ଦେଖିଛି ଦେଖିନି, ମଲ୍ଲିକା ଆଦି ଅନେକ ପାଠକପ୍ରିୟ କବିତା ସଂକଳନର ବି ସ୍ରଷ୍ଟା। ପତ୍ରିକାରେ ଧାରାବାହିକ ଭାବେ ପ୍ରକାଶ ପାଇଆସୁଥିବା ତାଙ୍କର ଆତ୍ମଜୀବନୀ ନିଃସନ୍ଦେହରେ ଅର୍ଦ୍ଧଶତାବ୍ଦୀର ଓଡ଼ିଆପଣର ଏକ ବଢ଼ିଆ ଉଦାହରଣ ।