ରାତି ପାହିଲେ ପୌରାଞ୍ଚଳ ଭୋଟ: ଡବଲ ଭୋଟ ଦେଉଥିଲେ ହୋଇ ଯାଆନ୍ତୁ ସାବଧାନ !

ଭୁବନେଶ୍ୱର: ରାତି ପାହିଲେ ପଡିବ ପୌରାଞ୍ଚଳ ଭୋଟ । ଗୁରୁବାର ଦିନ ପୌର ନିର୍ବାଚନ ପାଇଁ ଭୋଟ୍‌ ପଡ଼ିବାକୁ ଯାଉଥିବା ସମୟରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଅଧିକାଂଶ ପୋଲିଂ ପାର୍ଟି ବୁଥ୍‌ରେ ପହଞ୍ଚି ସାରିଛନ୍ତି। ବାକି ପୋଲିଂ ପାର୍ଟି ବୁଧବାର ସନ୍ଧ୍ୟା ସୁଦ୍ଧା ପହଞ୍ଚିବେ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନ । ସେହିଭଳି କୌଣସି ବ୍ୟକ୍ତି ଦୁଇଥର ଭୋଟ ଦେଲେ ଭୋଟ ଦେଇଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନିର୍ଦ୍ଦେଶ ଦିଆଯାଇଛି । ଆସନ୍ତାକାଲି ୧୦୬ ପୌର ପରିଷଦ ଓ ଏନ୍ଏସି ପାଇଁ ଭୋଟ ଗ୍ରହଣ କରାଯିବ । ଅନ୍ୟପକ୍ଷେ ମତଦାନକୁ ସ୍ୱଚ୍ଛ ଓ ନିରପେକ୍ଷ କରିବା ପାଇଁ ତ୍ରି ସ୍ତରୀୟ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ତେବେ ମତଦାନ କେନ୍ଦ୍ରରେ ପ୍ରାୟ ୧୯୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବା ନେଇ ପ୍ରେସମିଟ ଜରିଆରେ ସୂଚନା ପ୍ରଦାନ କରିଛନ୍ତି ନିର୍ବାଚନ କମିଶନର ।

ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ମତଦାନକୁ ଶାନ୍ତି ଶୃଙ୍ଖଳାର ସହିତ ସମାପନ ଲାଗି ୧୯୫ଟି ପ୍ଲାଟୁନ ଫୋର୍ସ ନିୟୋଜିତ ହୋଇଛନ୍ତି। ଏହା ବ୍ୟତୀତ ମୋବାଇଲ ପାର୍ଟିର ବ୍ୟବସ୍ଥା ମଧ୍ୟ କରାଯାଇଛି। ରାଜଧାନୀ ଭୁବନେଶ୍ୱରରେ ୧୧୫ଟି ବୁଥ୍ ଅତି ସମ୍ବେଦନଶୀଳ ରହିଥିବା ସମୟରେ ସୁରକ୍ଷା ବ୍ୟବସ୍ଥା ପାଇଁ ଭିଡିଓଗ୍ରାଫି ବ୍ୟବସ୍ଥା କରାଯାଇଛି। ସେହିପରି ପଞ୍ଚାୟତରେ ଭୋଟ୍ ଦେଇ ପୌରଞ୍ଚଳରେ ଭୋଟ୍ ଦେଉଥିଲେ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ନିର୍ଦ୍ଦେଶ ଦେଇଛନ୍ତି ।