ଭୁବନେଶ୍ୱର-: ଇଡି ଉପନିର୍ଦ୍ଦେଶକ ଚିନ୍ତନ ରଘୁବଂଶୀ ଗିରଫ । ୨୦ଲକ୍ଷ ଟଙ୍କା ଲାଞ୍ଚ କାରବାର ମାମଲାରେ ଗିରଫ ହୋଇଛନ୍ତି ରଘୁବଂଶୀ । ୧୨ ଘଣ୍ଟା ଜେରା ପରେ ତାଙ୍କୁ ଗିରଫ କଲା ସିବିଆଇ । ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଚିନ୍ତନ ରଘୁବଂଶୀଙ୍କୁ କ୍ୟାପିଟାଲ ହସ୍ପିଟାଲ ନିଆଯିବ ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଥିଲା । କୋର୍ଟରେ ହାଜର ପରେ ତାଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି । ତେବେ ମାମଲାର ପରବର୍ତ୍ତୀ ଶୁଣାଣି ଜୁନ୍ ୧୪ ତାରିଖରେ ହେବ ।
ସୂଚନା ଅନୁସାରେ, ଚିନ୍ତନ ରଘୁବଂଶୀ ଏକ ବଡ଼ଧରଣର ଖଣି ସଂପର୍କିତ ମାମଲାର ରଫାଦଫା କରିବା ପାଇଁ ଉଦ୍ୟମ ଚଳାଇଥିଲେ । ଏଥି ପାଇଁ ସେ ୫୦ ଲକ୍ଷ ଟଙ୍କା ଦାବି କରିଥିଲେ । ପୂର୍ବ ଯୋଜନା ଅନୁସାରେ ଗୁରୁବାର ସନ୍ଧ୍ୟା ସମୟରେ ୨୦ ଲକ୍ଷ ଟଙ୍କା ଲାଞ୍ଚ ନେବା ସମୟରେ ସେ ସିବିଆଇ ହାତରେ ଧରାପଡ଼ିଥିଲେ । ବିଶ୍ବସ୍ତ ସୂତ୍ରରୁ ସୂଚନା ପାଇ ସିବିଆଇ ପ୍ରାୟ ଏକ ସପ୍ତାହ ପୂର୍ବରୁ ରଘୁବଂଶୀଙ୍କୁ ଲାଞ୍ଚ ନେବା ବେଳେ ଧରିବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲା ।