ଉତ୍ତମ ସ୍ୱାସ୍ଥ୍ୟ ପାଇଁ ମାଛ ଖାଇବା ଉଚିତ

ମିଳିଜ ଜାତିସଂଘର ଆନ୍ତର୍ଜାତୀୟ ଶିଶୁ ଜରୁରୀକାଳୀନ ପାଣ୍ଠି (ୟୁନିସେଫ)ର ତଥ୍ୟ ଅନୁସାରେ, ଆମ ଦେଶର ପିଲାଙ୍କ ମଧ୍ୟରେ ପୁଷ୍ଟିହୀନତା ଏକ ଚିନ୍ତାଜନକ ବିଷୟ । ଗ୍ରାମାଞ୍ଚଳରେ ପୁଷ୍ଟିହୀନତା ବିଶେଷ ଭାବରେ ଦେଖାଯାଇଥାଏ ।

(ଭୁବନେଶ୍ୱର) : ମିଳିଜ ଜାତିସଂଘର ଆନ୍ତର୍ଜାତୀୟ ଶିଶୁ ଜରୁରୀକାଳୀନ ପାଣ୍ଠି (ୟୁନିସେଫ)ର ତଥ୍ୟ ଅନୁସାରେ, ଆମ ଦେଶର ପିଲାଙ୍କ ମଧ୍ୟରେ ପୁଷ୍ଟିହୀନତା ଏକ ଚିନ୍ତାଜନକ ବିଷୟ । ଗ୍ରାମାଞ୍ଚଳରେ ପୁଷ୍ଟିହୀନତା ବିଶେଷ ଭାବରେ ଦେଖାଯାଇଥାଏ । ଶିଶୁ ଓ ପ୍ରାପ୍ତ ବୟସ୍କ ଲୋକମାନଙ୍କର ଉତ୍ତମ ସ୍ୱାସ୍ଥ୍ୟ ପାଇଁ ସେମାନେ ମାଛ ଖାଇବା ଆବଶ୍ୟକ । ବିଶ୍ୱ ସ୍ୱାସ୍ଥ୍ୟସଂଗଠନର ପରାମର୍ଶ ଅନୁସାରେ, ଜଣେ ବ୍ୟକ୍ତି ବର୍ଷକୁ ଅତି କମରେ ୧୧ କେଜି ମାଛ ଖାଇବା ଆବଶ୍ୟକ । ଆମ ରାଜ୍ୟରେ ଲୋକମାନେ ମାଛର ଗୁରୁତ୍ୱକୁ ଉପଲବ୍ଧି କଲେଣି । ତେଣୁ ଦିନକୁ ଦିନ ମାଛର ଚାହିଦା ବୃଦ୍ଧି ପାଇବାରେ ଲାଗିଛି ।

ଚୁନା ମାଛ ଗୁଡ଼ିକରେ ସମସ୍ତ ପ୍ରକାର ଖଣିଜ ପଦାର୍ଥ ଥାଏ ଏବଂ ଏହି ଚୁନା ମାଛରୁ ଭିଟାମିନ ଏ, ଡି ଓ ବି ମିଳିଥାଏ । ସାଧାରଣତଃ ଚୁନା ମାଛ ଗୁଡ଼ିକର ମୁଣ୍ଡ ଓ କଣ୍ଟା ସମ୍ପୂର୍ଣ୍ଣ ଖାଇଥାଉ, ଯାହାର ଉପାଦେୟତା ଅଧିକ ଥାଏ । ଚୁନା ମାଛରେ ଅଧିକ ପରିମାଣର ସୂକ୍ଷ୍ମ ପୁଷ୍ଟିସାର ଥାଏ, ତେଣୁ ଚୁନା ମାଛ ଖାଇବା ଦ୍ୱାରା ପିଲାମାନଙ୍କୁ ସ୍ୱାସ୍ଥ୍ୟ ଭଲ ରୁହେ । ଚୁନା ମାଛ ଖାଇବା ଦ୍ୱାରା ସୁସ୍ଥ ମସ୍ତିସ୍କ ବୃଦ୍ଧି ହେବା ସହିତ ଚକ୍ଷୁ ସୁସ୍ଥ ରୁହେ, ରକ୍ତହୀନତା ଦୂର ହୁଏ । ହାଡ଼ ଓ ଦାନ୍ତ ଶକ୍ତ ଓ ସୁସ୍ଥ ରୁହେ । ମାଛରେ ପୁଷ୍ଟିସାର ଅଧିକ ଥିବାରୁ ଏହା ଗର୍ଭବତୀ ମହିଳା, ସ୍ତନ୍ୟପାନ କରାଉଥିବା ମା’ଓ ଶିଶୁଙ୍କ ପାଇଁ ଅଧିକ ଉପଯୋଗୀ । ମାଛ ତେଲ ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ । ମାଛରେ ଓମେଗା-୩ ଫ୍ୟାଟି ଏସିଡ୍‌, ଭିଟାମିନ ଅଧିକ ପରିମାଣରେ ଥାଏ । ମାଛ ତେଲ ଯନ୍ତ୍ରଣା ଓ ମାନସିକ ଚାପ ଦୂର କରିଥାଏ । ମାଛ ତେଲ ହୃଦୟ ପାଇଁ ଭଲ । ଏହା ରକ୍ତ ଜମାଟ ବାନ୍ଧିବା ସମସ୍ୟାରୁ ମଧ୍ୟ ମୁକ୍ତି ଦେଇଥାଏ । ପଞ୍ଜାବର ଗୁରୁ ଅଙ୍ଗଦ ଦେବ ପ୍ରାଣୀ ଚିକିତ୍ସା ଏବଂ ପ୍ରାଣୀ ବିଜ୍ଞାନ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ମତ୍ସ୍ୟ ବିଜ୍ଞାନ ମହାବିଦ୍ୟାଳୟ ଦ୍ୱାରା ମାଛ ବିସ୍କୁଟ ପ୍ରସ୍ତୁତ କରାଯାଇଛି, ଯାହାକି ସ୍ୱାସ୍ଥ୍ୟ ପାଇଁ ଖୁବ୍‌ ଉପକାରୀ ।