ଭୁବନେଶ୍ୱର: ଦୁର୍ଗାପୁରରେ ଓଡ଼ିଆ ଡାକ୍ତରୀ ଛାତ୍ରୀ ଗଣଦୁଷ୍କର୍ମ ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦୁର୍ଗାପୁର ଗଣଦୁଷ୍କର୍ମ ଘଟଣା ସମ୍ପର୍କରେ ‘ବିବାଦୀୟ’ ମନ୍ତବ୍ୟ ଦେଇଥିଲେ । ଏଥିସହିତ ସେ ଗଣମାଧ୍ୟମର କୌଣସି ପ୍ରଶ୍ନର ଉତ୍ତର ଦେବାକୁ ମନା କରି ଦେଇଥିଲେ ଏବଂ ଏହାର ଦୋଷ ଓଡ଼ିଶା ଉପରେ ଲଦି ଦେଇଥିଲେ । ଯେତେବେଳେ ମମତାଙ୍କୁ ଏହି ବିବ୍ରତକାରୀ ଘଟଣା ବିଷୟରେ ପଚରା ଯାଇଥିଲା, ସେ ଦୃଢ଼ ଭାବରେ କହିଲେ, “ଘଟଣା ବିଷୟରେ ତୁମେ ପୋଲିସକୁ ପଚାରିପାରିବ। ସେ କହିଛନ୍ତି କି, ଏହି ଘଟଣାକୁ ତାଙ୍କ ସରକାର ଗୁରୁତ୍ୱର ସହ ଗ୍ରହଣ କରିଛି । ତଦନ୍ତକାରୀ ଟିମ୍ ତଦନ୍ତ ଚଳାଇଛି । ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି । ।

ତାଙ୍କ ପ୍ରେସ୍ ଆଲୋଚନା ସମୟରେ, ମମତାଙ୍କ ବୟାନ ବିବାଦ ସୃଷ୍ଟି କରିଛି । ମମତା କହିଛନ୍ତି, “ହଷ୍ଟେଲରେ ରହୁଥିବା ଛାତ୍ରୀମାନେ, ବିଶେଷକରି ଯେଉଁମାନେ ରାଜ୍ୟ ବାହାରୁ ପଢ଼ିବା ପାଇଁ ପଶ୍ଚିମବଙ୍ଗ ଆସିଛନ୍ତି, ସେମାନେ ହଷ୍ଟେଲର ନିୟମ ପାଳନ କରିବା ଉଚିତ୍ । ସେମାନେ ବିଳମ୍ବିତ ରାତିରେ ବାହାରକୁ ଯିବାରୁ ବଞ୍ଚିବା ଉଚିତ । ଯଦିଓ ସେମାନଙ୍କର ଯେଉଁଠାକୁ ଯିବାକୁ ଇଚ୍ଛା ସେଠାକୁ ଯିବାର ମୌଳିକ ଅଧିକାର ଅଛି । ଏଥି ସହିତ ପ୍ରତ୍ୟେକ ବ୍ୟକ୍ତିଙ୍କ ଗତିବିଧି ଉପରେ ନଜର ରଖିବା ପାଇଁ ପୋଲିସର କିଛି ଲଜିଷ୍ଟିକ୍ ସୀମା ରହିଛି । ରାତିରେ କିଏ ଘରୁ ବାହାରକୁ ଯାଉଛି ତାହା ଅଧିକାରୀମାନେ ଜାଣିପାରିବେ ନାହିଁ ଏବଂ ପ୍ରତ୍ୟେକ ଘର ବାହାରେ ଜଗି ରହିପାରିବେ ନାହିଁ । ବେସରକାରୀ କଲେଜଗୁଡ଼ିକୁ ସେମାନଙ୍କ କ୍ୟାମ୍ପସ ଭିତରେ ଏବଂ ଚାରିପାଖରେ ସୁରକ୍ଷା ସୁନିଶ୍ଚିତ କରିବା ଉଚିତ,” ବୋଲି ସେ କହିଛନ୍ତି ।
ଅନ୍ୟପକ୍ଷେ ମମତା ଏହି ଘଟଣାକୁ କେନ୍ଦ୍ରକରି ଓଡ଼ିଶାକୁ ଟାର୍ଗେଟ କରିଛନ୍ତି । ସେ ଦର୍ଶାଇଥିଲେ ଯେ ଓଡ଼ିଶାରେ ମଧ୍ୟ ଏପରି ଘଟଣା ଘଟିଛି । ଗୋପାଳପୁର ମାମଲାକୁ ଉଦ୍ଧୃତ କରି, ଯେଉଁଠାରେ ଜଣ ମହିଳା ଗଣବଳାତ୍କାରର ଶିକାର ହୋଇଥିଲେ । ଓଡ଼ିଶା ସରକାର ଏହିଘଟଣାରେ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି?” ବୋଲି ମମତା ପ୍ରଶ୍ନ କରିଥିଲେ।

ଏହି ଘଟଣା ଉପରେ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି, ଆଗାମୀ ଦିନରେ ଆହୁରି ପ୍ରଦର୍ଶନ ହେବାର ସମ୍ଭାବନା ରହିଛି। ପୋଲିସ ତଦନ୍ତ ସମ୍ପର୍କରେ ଏପର୍ଯ୍ୟନ୍ତ ବିସ୍ତୃତ ସୂଚନା ପ୍ରଦାନ କରିନାହିଁ। ଦୁର୍ଗାପୁର ମାମଲାରେ ଏପର୍ଯ୍ୟନ୍ତ ତିନି ଜଣଙ୍କୁ ଗିରଫ କରାଯାଇ କୋର୍ଟକୁ ପଠାଯାଇଛି । ଗିରଫ ଅଭିଯୁକ୍ତମାନେ ସମସ୍ତେ ସ୍ଥାନୀୟ ବାସିନ୍ଦା, ଆପୁ ବାଉରୀ (୨୧), ଫିରଦୋଷ ଶେଖ (୨୩), ସେଖ ରିଆଜୁଦ୍ଦିନ (୩୧) ବୋଲି ଚିହ୍ନଟ କରାଯାଇଛି।