ନୂଆଦିଲ୍ଲୀ : ପ୍ରବଳ ବର୍ଷା ହେତୁ ଗୁଜୁରାଟ ଜଳମଗ୍ନ । ଜଳରେ ଭାସୁଛି ରାଜ୍ୟର ଅନେକ ସହର । ଅନେକ ସ୍ଥାନରେ କାର ମଧ୍ୟ ବୁଡ଼ି ଯାଇଛି। ବର୍ଷା ଯୋଗୁଁ ରାଜକୋଟ, ସୁରତ ଏବଂ ଗିର ସୋମନାଥ ଭଳି ଜିଲ୍ଲା ଅଧିକ ପ୍ରଭାବିତ ହୋଇଛି। କିଛି ଘଣ୍ଟା ମଧ୍ୟରେ ଏହି ଜିଲ୍ଲାଗୁଡିକରେ ୩୦୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ପ୍ରଭାବିତ ଅଞ୍ଚଳରୁ ୭୦ ଜଣ ଲୋକଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇଛି। ପ୍ରବଳ ବର୍ଷା ହେତୁ ରାସ୍ତାରେ ପାର୍କିଂ ହୋଇଥିବା ଗାଡିଗୁଡିକ ଅନେକ ସ୍ଥାନରେ ପାଣିରେ ବୁଡ଼ି ଯାଇଛି। ପାଣିପାଗ ବିଭାରଗର ସୂଚନା ଅନୁଯାୟୀ ଆସନ୍ତା କିଛି ଦିନ ପାଇଁ ସୌରାଷ୍ଟ୍ର ଏବଂ ଦକ୍ଷିଣ ଗୁଜୁରାଟର କେତେକ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।
ଖବର ଅନୁଯାୟୀ, ସୋମନାଥ ଜିଲ୍ଲାର ସୂତ୍ରପଡାରେ ମଙ୍ଗଳବାର ୧୪ ଘଣ୍ଟା ମଧ୍ୟରେ ୩୪୫ ମିଲିମିଟର ବର୍ଷା ହୋଇଥିବାବେଳେ ରାଜକୋଟ ଜିଲ୍ଲାର ଧୋରଜୀରେ ସମାନ ସମୟ ମଧ୍ୟରେ ୨୫୦ ମିଲିମିଟର ବର୍ଷା ରେକର୍ଡ କରିଛନ୍ତି। ସେହିପରି ସୁରତରେ ଦିନରେ ପ୍ରାୟ ୧୦୪ ମିଲିମିଟର ବର୍ଷା ରେକର୍ଡ ହୋଇଥିଲା। ଜୁନାଗଡ ଜିଲ୍ଲାର କିଛି ଅଞ୍ଚଳରେ ପ୍ରବଳ ବର୍ଷା ମଧ୍ୟ ହୋଇଛି। ଯାହା ଲୋକଙ୍କ ଜୀବନ ଉପରେ ମଧ୍ୟ ପ୍ରଭାବ ପକାଇଛି। ରାଜ୍ୟ ସରକାର ବର୍ତ୍ତମାନ ପରିସ୍ଥିତି ଉପରେ ନଜର ରଖିଛନ୍ତି