ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପଙ୍କ ବୃହତ ବିଜୟ : ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

0

ନୂଆଦିଲ୍ଲୀ: ପୁଣି  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପଙ୍କ ବୃହତ ବିଜୟ ହୋଇଛି ।   ହ୍ବାଇଟ ହାଉସ ରେସରେ ପୁଣି ବାଜି ମାରି ନେଇଛନ୍ତି ପୂର୍ବତନ ରାଷ୍ଟ୍ରପତି ତଥା ରିପବ୍ଲିକାନ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ । ଅନେକ ବିବାଦରେ ଫସି ମଧ୍ୟ ସେ ଆମେରିକୀୟଙ୍କ ହୃଦୟ ଜିଣିବାରେ ସକ୍ଷମ ହୋଇଛନ୍ତି । ମ୍ଯାଜିକ ନମ୍ବରଠାରୁ ବେଶ ଆଗରେ ରହି ଐତିହାସିକ ବିଜୟ ଲାଭ କରି ବିଶ୍ବର ସୁପର ପାୱାର ଦେଶ ଆମେରିକାର ୪୭ତମ ରାଷ୍ଟ୍ରପତି ହେବେ ରିପବ୍ଲିକାନ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ। ମୋଟ ୫୩୮ ଇଲେକ୍ଟୋରାଲ କଲେଜ ଭୋଟରୁ ଟ୍ରମ୍ପ ପାଇଛନ୍ତି ୨୭୭। ଅନ୍ଯପଟେ ପ୍ରତିଦ୍ବନ୍ଦ୍ବୀ ପ୍ରାର୍ଥୀ ଡେମୋକ୍ରାଟ କମଳା ହାରିସଙ୍କୁ ମିଳିଛି ୨୨୬ ଭୋଟ। ବିଜୟ ଲାଗି ମ୍ଯାଜିକ ନମ୍ବର ୨୭୦ ଦରକାର ଥିବାବେଳେ ଟ୍ରମ୍ପ ବାଜିମାତ କରିଛନ୍ତି।

ତାଙ୍କର ଏହି ବିଜୟରେ ସୋସିଆଲ ମିଡିଆରେ ଶୁଭେଚ୍ଛା ମିଳିବାରେ ଲାଗିଛି । ଏହାରି ଭିତରେ  ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଶୁଭେଚ୍ଛା ଜଣାଇଲେ  ଭାରତର ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀ । । ଶୁଭେଚ୍ଛା ଜଣାଇବା ସହ କହିଛନ୍ତି , ନିର୍ବାଚନରେ ଜିତିବା ପାଇଁ ମୁଁ ମୋର ବନ୍ଧୁ ଡୋନାଲ୍ଡ ଟ୍ରମ୍ପଙ୍କୁ ହୃଦୟରୁ ଅଭିନନ୍ଦନ ଜଣାଉଛି’ । ପ୍ରଧାନମନ୍ତ୍ରୀ ମୋଦି ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏକ ପୋଷ୍ଟ ସେୟାର କରିଛନ୍ତି । ଏଥିରେ ସେ ଲେଖିଛନ୍ତି, ‘ଐତିହାସିକ ନିର୍ବାଚନ ବିଜୟ ପାଇଁ ମୋର ବନ୍ଧୁ ଡୋନାଲ୍ଡ ଟ୍ରମ୍ପ ଆପଣଙ୍କୁ ହାର୍ଦ୍ଦିକ ଅଭିନନ୍ଦନ’ ।

ଟ୍ରମ୍ପଙ୍କ ସହ କେତେଗୁଡ଼ିଏ ଫଟୋ ସେୟାର କରି ମୋଦି ଲେଖିଛନ୍ତି, ‘ଆପଣ ନିଜର ପୂର୍ବ କାର୍ଯ୍ୟକାଳର ସଫଳତାଗୁଡ଼ିକୁ ଆଗକୁ ବଢ଼ାଇବାକୁ ଯାଉଛନ୍ତି । ମୁଁ ଭାରତ-ଆମେରିକାର ବ୍ୟାପକ ଗ୍ଲୋବାଲ ଏବଂ ରଣନୀତିକ ଭାଗିଦାରୀଙ୍କୁ ଆହୁରି ମଜଭୁତ କରିବା ତଥା ଆମ ସହଯୋଗକୁ ନବୀକରଣ କରିବା ପାଇଁ ଉତ୍ସାହୀ ଅଛି । ଆସନ୍ତୁ, ଆମ ଲୋକମାନଙ୍କ କଲ୍ୟାଣ ପାଇଁ ଏବଂ ବିଶ୍ୱଶାନ୍ତି, ସ୍ଥିରତା ତଥା ସମୃଦ୍ଧିକୁ ପ୍ରୋତ୍ସାହନ ଦେବା ପାଇଁ ମିଳିମିଶି କାର୍ଯ୍ୟ କରିବା’ ।

ଏହା ସହିତ ଅଷ୍ଟ୍ରେଲିଆର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍କଟ୍ ମୋରିସନ ସୋସିଆଲ ମିଡିଆରେ ପୋଷ୍ଟ କରି ଡୋନାଲ୍ଡ ଟ୍ରମ୍ପଙ୍କୁ ବିଜୟର ଅଭିନନ୍ଦନ ଜଣାଇଛନ୍ତି । ସେ ଟ୍ରମ୍ପଙ୍କ ସହ ଏକ ଫଟୋ ସେୟାର କରି ଲେଖିଛନ୍ତି, ‘ଶୁଭେଚ୍ଛା ରାଷ୍ଟ୍ରପତି ଟ୍ରମ୍ପ’ ।