ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମ୍ ଠାରେ ଜିଲ୍ଲାସ୍ତରୀୟ ସୁଭଦ୍ରା ଶକ୍ତି ମେଳା ଉଦଘାଟିତ ହୋଯାଇଛି। ଉକ୍ତ ମେଳାରେ ଜିଲ୍ଲାପାଳ ଶ୍ରୀଯୁକ୍ତ ଅକ୍ଷୟ ସୁନିଲ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମେଳରେ ମୁଖ୍ୟ ଅତିଥି ଭାବରେ ମାନ୍ୟବର ବିଧାୟକ ପାରଳାଖେମୁଣ୍ଡି ରୂପେଶ କୁମାର ପାଣିଗ୍ରାହୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ମାନ୍ୟବର ବିଧାୟକ ମୋହନା ଦାଶରଥି ଗମାଙ୍ଗ, ଜିଲ୍ଲାପରିଷଦ ଅଧ୍ୟକ୍ଷ ଜି.ତିରୁପତି ରାଓ, ପୌରପରିଷଦ ପାରଳାଖେମୁଣ୍ଡି ଅଧ୍ୟକ୍ଷା ନିର୍ମଳା ସେଠୀ, କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଏମ. ସୁଧାରାଣୀ , ସାଂସଦ ପ୍ରତିନିଧି ଡି. ରାଜେଶ କୁମାର, ଆରକ୍ଷୀ ଅଧିକ୍ଷକ ଗଜପତି ଶ୍ରୀଯୁକ୍ତ ଯତୀନ୍ଦ୍ର କୁମାର ପଣ୍ଡା,ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଶ୍ରୀ ପୃଥ୍ୱୀରାଜ ମଣ୍ଡଳ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀମତୀ ମନୋରମା ଦେବୀ, ଡିପିଏମ, ଓଏଲଏମ ମିଶନ ଶକ୍ତି ଶ୍ରୀ ଟିମନ ବାରା ପ୍ରମୁଖ ମଞ୍ଚାସୀନ ଥିଲେ।
ଉକ୍ତ ମେଳକୁ ଉଦ୍ଘାଟନ କରିବା ସହ ସମସ୍ତ ଅତିଥି ଗଣ ନିଜ ନିଜ ବକ୍ତବ୍ୟରେ କହିଥିଲେ, ଗାଁ ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ , ନାରୀମାନେ ଆଜି ପ୍ରତ୍ୟେକ କ୍ଷେତ୍ରରେ ନିଜ ସାମର୍ଥ୍ୟ , ସୃଜନଶୀଳତା ଓ ଉଦ୍ୟୋଗୀତାର ପରିଚୟ ଦେଉଛନ୍ତି। ଶକ୍ତିକୁ ସମ୍ମାନ ଜଣାଇ ସୁଭଦ୍ରା ମା’ମାନଙ୍କ ଅନ୍ତର୍ନିହିତ ଶକ୍ତିର ଜାଗରଣ ପାଇଁ ମିଶନ ଶକ୍ତି ବିଭାଗ ପକ୍ଷରୁ ଜିଲ୍ଲାରେ ଆୟୋଜନ କରୁଛି “ସୁଭଦ୍ରା ଶକ୍ତି ମେଳା । ‘ସୁଭଦ୍ରା ଶକ୍ତି ମେଳା’ ଓଡ଼ିଶାର ମା’ଭଉଣୀମାନଙ୍କ ରହିଥିବା ପ୍ରତିଭା, ଦକ୍ଷତା ଓ ଉଦ୍ୟମର ଦିଗଦର୍ଶନ। ପ୍ରତ୍ୟେକ ମହିଳା କିଭଳି ଜଣେ ଦକ୍ଷ ଉଦ୍ୟୋଗୀ ହୋଇ ଆର୍ଥିକ ସ୍ୱତନ୍ତ୍ରତା ହାସଲ କରି ଓଡ଼ିଶା ଅର୍ଥନୀତିର ମେରୁଦଣ୍ଡ ହେବେ , ସରକାର ସେଥିପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି । ଆଜି ୧୮ ତାରିଖ ଠାରୁ ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ୭ ଦିନ ଧରି ଏହି “ସୁଭଦ୍ରା ଶକ୍ତି ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହି ମେଳାରେ ରାଜ୍ୟର ସମସ୍ତ ଜିଲ୍ଲାରୁ ୧୦୦ରୁ ଉର୍ଦ୍ଧ୍ଵ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଭାଗନେଇ ସେମାନଙ୍କ ଉତ୍ପାଦିତ ଦ୍ରବ୍ୟର ପ୍ରଦର୍ଶନ କରିବେ।