ଜିଲ୍ଲାସ୍ତରୀୟ ଗାନ୍ଧୀ ଜୟନ୍ତୀ ଏବଂ ସ୍ୱଚ୍ଛ ଭାରତ ଦିବସ ପାଳିତ

କେନ୍ଦୁଝର, ୩ ଅକ୍ଟୋବର: କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥ ଦରବାର ହଲଠାରେ ଜିଲ୍ଲାସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଏବଂ କେନ୍ଦୁଝରଠାରେ ପନ୍ଦର ଦିନ ଧରି ଚାଲିଥିବା ସ୍ୱଚ୍ଛତା ହିଁ ସେବା-୨୦୨୫ ଅଭିଯାନର ଉଦଯାପନୀ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ମାନ୍ୟବର ବିଧାୟକ ତେଲକୋଇ ଡକ୍ଟର ଫକୀର ମୋହନ ନାଏକ, କେନ୍ଦୁଝରଗଡ଼ ପୌରାଧ୍ୟକ୍ଷା ଶ୍ରୀମତୀ ନିକୁ ସାହୁ, ଜିଲ୍ଲା ପରିଷଦ, କେନ୍ଦୁଝରର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ କୁମାର ନାଗଭୂଷଣ, ଅତିରିକ୍ତ ନିର୍ବାହୀ ଅଧିକାରୀ ଶୁଭଦର୍ଶୀ ଯୋଶୀ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ସାର୍ଥକ ରାୟ, କେନ୍ଦୁଝରଗଡ଼ ପୌରପାଳିକାର ନିର୍ବାହୀ ଅଧିକାରୀ ଶ୍ରୀ ଲଳିତ କୁମାର ନାଏକ, ଅନ୍ୟ ବିଭାଗୀୟ ଅଧିକାରୀ, ଗଣମାଧ୍ୟମ ପ୍ରତିନିଧି ଏବଂ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

ଉତ୍ସବରେ ସ୍ୱଚ୍ଛତା ସୂଚକାଙ୍କରେ ଶ୍ରେଷ୍ଠ ମନୋନୀତ ହୋଇଥିବା ୪ ଜଣ ବିଡିଓ, ୧୩ ଜଣ ଶ୍ରେଷ୍ଠ ସରପଞ୍ଚ (ପ୍ରତ୍ୟେକ ବ୍ଲକରୁ ଜଣେ), ସ୍ୱଚ୍ଛତା ମିତ୍ର ଏବଂ ଅନ୍ୟାନ୍ୟ ଅଂଶୀଦାରଙ୍କ ସମେତ ତୃଣମୂଳ ସ୍ତରର ପ୍ରତିନିଧିମାନେ ମଧ୍ୟ ଅଂଶଗ୍ରହଣ କରିଥିଲେ। ଏହି ବିଶେଷ ଅବସରରେ, ସ୍ୱଚ୍ଛତା ହିଁ ସେବା-୨୦୨୫ ସମୟରେ ସ୍ୱଚ୍ଛତା ଏବଂ ସାମୁଦାୟିକ ପ୍ରଚେଷ୍ଟା ଦ୍ୱାରା ଏହି ଅଭିଯାନକୁ ସଫଳ କରିବାରେ ଅଗ୍ରଣୀ ଭୂମିକା ନେଇଥିବା ବିଡିଓ ଯୋଡା,ସାହାରପଡ଼ା,ତେଲକୋଇ ଓ ପାଟଣାଙ୍କୁ ସେମାନଙ୍କ ଉଦାହରଣୀୟ ଅବଦାନକୁ ସ୍ୱୀକୃତି ଦେବା ପାଇଁ ସମ୍ବର୍ଦ୍ଧନା କରାଯାଇଥିଲା। ସେହିପରି ଜିଲ୍ଲାର ୧୩ଟି ଗ୍ରାମ ପଞ୍ଚାୟତ ଓ ୧୩ ଜଣ ସ୍ୱଚ୍ଛତା ମିତ୍ରଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା ।

 

ଗୋବିନ୍ଦପୁର ସରକାରୀ  ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀଙ୍କୁ ଏକ ସ୍ୱଚ୍ଛ ସ୍କୁଲ କ୍ୟାମ୍ପସ ବଜାୟ ରଖିବା, ସ୍ୱଚ୍ଛତା ଅଭିଯାନ, ସ୍ୱଚ୍ଛତା ରାଲି, ଜନସଚେତନତା ଅଭିଯାନ, ପ୍ରତିଯୋଗିତା ଏବଂ ପ୍ରଦର୍ଶନୀ ଆୟୋଜନ ଏବଂ ସ୍ୱଛତା ହିଁ ସେବା-୨୦୨୫ ଅନ୍ତର୍ଗତ ସକ୍ରିୟ ଗଣମାଧ୍ୟମ କଭରେଜ୍ ସୁନିଶ୍ଚିତ କରିବାରେ ତାଙ୍କ ନେତୃତ୍ୱ ପାଇଁ ବିଶେଷ ସମ୍ମାନ ପ୍ରଦାନ କରାଯାଇଥିଲା। ପ୍ରାତଃ କାଳରେ ସହରରେ ରାମଧୂନ, ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ସେହିଭଳି ଦରବାର ହଲରେ ଗାନ୍ଧୀ ଜୀଙ୍କ ପ୍ରିୟ ଭଜନ ପରିବେଷଣ ହୋଇଥିଲା ଏବଂ ସର୍ବଧର୍ମ ପ୍ରାର୍ଥନା ସଭା ମଧ୍ୟ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ କାର୍ଯ୍ୟାଳୟର ଡିଏସସି, ଅସିତ କୁମାର ପାତ୍ର, ଶୁଭାଶିଷ ମଲ୍ଲିକ ଏବଂ ସଞ୍ଜୟ ଖିଲାର ଏହି କାର୍ଯ୍ୟକ୍ରମର ସଫଳ ଆୟୋଜନରେ ଗୁରୁତ୍ୱପୂର୍ଣ ଭୂମିକା ଗ୍ରହଣ କରିଥିଲେ।