ନୂଆଦିଲ୍ଲୀ ୦୭।୦୬: ଦେଶରେ ଡିଜେଲ୍ ଓ ପେଟ୍ରୋଲ ଦର ଆକାଶଛୁଆଁ ରହିଛି। ଦେଶର ଅନେକ ସହରରେ ପେଟ୍ରୋଲ ଦର ଲିଟର ପିଛା ୧୦୦ ଟଙ୍କାରେ ପହଞ୍ଚିଛି। ତୈଳ ବିପଣନକାରୀ କମ୍ପାନୀ ପ୍ରତି ଦିନ ଦର ବୃଦ୍ଧି କରୁଛନ୍ତି। ଗୋଟିଏ ପଟେ କରୋନା କଟକଣା ଲୋକଙ୍କ ରୋଜଗାର ଛଡାଇବା ସହ ଆୟ ଉପରେ ପ୍ରହାର କରିଥିବା ବେଳେ ଅନ୍ୟପଟେ ଦରବୃଦ୍ଧି ଜନତାଙ୍କୁ କଲବଲ୍ କରୁଛି। ଏହି ସବୁ ମଧ୍ୟରେ ଦେଶର ପେଟ୍ରୋଲ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପେଟ୍ରୋଲ-ଡିଜେଲ୍ ଦରରୁ ଏବେ ଲୋକଙ୍କୁ ଆଶ୍ଵସ୍ତି ମିଳିବ ନାହିଁ ବୋଲି ସଙ୍କେତ ଦେଇଛନ୍ତି।
ଗୁଜରାଟ ପହଞ୍ଚିଥିବା କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସାମ୍ବାଦିକ ପ୍ରଶ୍ନ କରିଥିଲେ ଯେ, ହୁ ହୁ ହୋଇ ବଢୁଥିବା ପେଟ୍ରୋଲ-ଡିଜେଲ୍ ଦର କେବେ ହ୍ରାସ ପାଇବ ? ଏହି ପ୍ରଶ୍ନର ଉତ୍ତରରେ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଏବେ ସରକାରଙ୍କ ଆୟ ବହୁତ ହ୍ରାସ ଘଟିଛି। ଆର୍ଥିକ ବର୍ଷ ୨୦୨୦-୨୧ରେ ମଧ୍ୟ ରାଜସ୍ଵ କମିବାର ସମ୍ଭାବନା ରହିଛି। ଗୋଟିଏ ପଟେ ରାଜସ୍ଵ କମ ହେଉଥିବା ବେଳେ ଅନ୍ୟପଟେ ସରକାରଙ୍କ ଖର୍ଚ୍ଚ ବଢୁଛି।
ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ସ୍ଵାସ୍ଥ୍ୟ କ୍ଷେତ୍ରରେ ଖର୍ଚ୍ଚ ବହୁତ ବଢିଛି। ସାମାଜିକ କଲ୍ୟାଣରେ ମଧ୍ୟ ସରକାର ଖର୍ଚ୍ଚ କରୁଛନ୍ତି। ବଢୁଥିବା ଖର୍ଚ୍ଚ ଓ ଆୟକୁ ଦୃଷ୍ଟିରେ ରଖି ପେଟ୍ରୋଲ-ଡିଜେଲ୍ ଦର କମ କରାଯିବାର ଏହା ଉଚିତ୍ ସମୟ ନୁହେଁ। ସେ ସ୍ପଷ୍ଟ କହିଛନ୍ତି ଯେ, ଡିଜେଲ୍ ଓ ପେଟ୍ରୋଲ ଦର ବର୍ତ୍ତମାନ କମିବ ନାହିଁ।
ପେଟ୍ରୋଲିୟମ ମନ୍ତ୍ରୀ କହିଛନ୍ତି, ଡିଜେଲ୍ ଓ ପେଟ୍ରୋଲ ମୂଲ୍ୟ ବୃଦ୍ଧିର ମୁଖ୍ୟ କାରଣ ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଦର ବଢିବା। ବର୍ତ୍ତମାନ ଅଶୋଧିତ ତୈଳ ଦର ବ୍ୟାରେଲ୍ ପ୍ରତି ୭୦ ଅରବ ଡଲାରରେ ପହଞ୍ଚି ଯାଇଛି। ଏଥିପାଇଁ ଦେଶରେ ତୈଳ ଦର ବୃଦ୍ଧି ଘଟୁଛି। ଉଲ୍ଲେଖନୀୟ ପେଟ୍ରୋଲ-ଡିଜେଲ୍ ମୂଲ୍ୟକୁ ନେଇ ନୀତି ଆୟୋଗର ଉପାଧ୍ୟକ୍ଷ ରାଜୀବ କୁମାର କହିଥିଲେ ଯେ, ସରକାରଙ୍କୁ କିଛି କରିବା ଉଚିତ୍।
ସୂଚନାଯୋଗ୍ୟ, ଜୁନ ୭ ଅର୍ଥାତ ଆଜି ପେଟ୍ରୋଲିମ କମ୍ପାନୀ ଡିଜେଲ୍-ପେଟ୍ରୋଲ ଦର ବୃଦ୍ଧି କରିଛନ୍ତି।