ଭୁବନେଶ୍ୱର: ଦୁଇ ବର୍ଷ ପରେ ଭକ୍ତଙ୍କ ଗହଣରେ ହେବ ମହାପ୍ରଭୁଙ୍କ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ତିନି ଘଣ୍ଟା ପାଇଁ ସ୍ନାନ ମଣ୍ଡପରେ ଭକ୍ତଙ୍କୁ ମିଳିବ ଦର୍ଶନ ସୁଯୋଗ। ତେବେ ଏହି ସମୟରେ କୌଣସି ଭକ୍ତ ଶ୍ରୀବିଗ୍ରହମାନଙ୍କୁ ସ୍ପର୍ଶ କରିପାରିବେ ନାହିଁ। ଆଜି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଗଜପତି ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ବସିଥିବା ପରିଚାଳନା କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।ହାତୀ ବେଶରେ ଦର୍ଶନ ଦେବେ ଶ୍ରୀଜିଉ । ବେଶ ଦେଖିବାକୁ ଭକ୍ତଙ୍କୁ ସ୍ନାନବେଦୀ ଉପରେ ତିନି ଘଣ୍ଟା ସମୟ ମିଳିବ ।
ଆଜି ଗଜପତିଙ୍କ ଅଧ୍ୟକ୍ଷତାରେ ବସିଥିବା ପରିଚାଳନା କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ବୈଠକରେ ମୁଖ୍ୟତଃ ଦେବସ୍ନାନ ପୂର୍ଣ୍ଣିମା, ରଥଯାତ୍ରା, ବାହୁଡା ଯାତ୍ରା, ସୁନାବେଶ ଓ ନିଳାଦ୍ରୀ ବିଜେକୁ ସୁରୁଖୁରୁରେ ଓ ଶୃଙ୍ଖଳିତ ଭାବେ ଶେଷ କରିବା ନେଇ ଆଲୋଚନା ହୋଇଛି । ଜୁନ୍ ୧୪ରେ ହେବାକୁ ଥିବା ଦେବ ସ୍ନାନ ପୂର୍ଣ୍ଣିମା ପାଇଁ ଶ୍ରୀମନ୍ଦିର ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ।
ପରିଚାଳନା କମିଟି ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ, ସ୍ନାନ ପୂର୍ଣ୍ଣିମା ଦିନ ମଙ୍ଗଳାର୍ପଣ, ଡୋରଲାଗି ଓ ପୁଷ୍ପାଞ୍ଜଳି ପରେ ପହଣ୍ଡି ଆରମ୍ଭ ହେବ। ଜୁନ୍ ୧୪ରେ ଭୋର ୪ଟାରେ ପହଣ୍ଡି ଆରମ୍ଭ ହୋଇ ୬ଟାରେ ଶେଷ ହେବ। ସକାଳ ୯.୩୦ରୁ ୧୧.୩୦ ମଧ୍ୟରେ ଜଳ ବିଜେ ଓ ପୂଜା ହୋଇ ୧୨.୧୫ ରେ ଛେରା ପହଁରା ଓ ୧୨.୩୦ରୁ ୨.୩୦ ମଧ୍ୟରେ ହାତୀବେଶ ଶେଷ କରାଯିବ। ସକାଳେ ପରିମାଣିକ ଟିକେଟ ଦର୍ଶନ ବ୍ୟବସ୍ଥା କରାଯିବାକୁ ବ୍ୟବସ୍ଥା କରାଯାଇଛି ।